ସ୍ଥାୟୀ ବନ୍ଦୋବସ୍ତ ଲାଗି ଦାବିକଲେ ଲୋକେ

ବାଲେଶ୍ୱର ଅଫିସ,୨୦।୭ – ବାଲେଶ୍ୱର ସହରସ୍ଥିତ ଶୋଭାରାମପୁର ଅଞ୍ଚଳରେ ଥିବା ରେଲଓ୍ବେ ଜମି ଉପରେ ୩ଦଶନ୍ଧି ଧରି ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ଭୂମିହୀନ ଭାବେ ଚିହ୍ନଟ କରି ଉକ୍ତ ସ୍ଥାନର ପଟ୍ଟା ପ୍ରଦାନ କରିଛନ୍ତି। କିଛି ଲୋକଙ୍କୁ ଉକ୍ତ ପଟ୍ଟା ବଳରେ ପୌରାଞ୍ଚଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ କରିବା ପାଇଁ କାର୍ଯ୍ୟାଦେଶ ଦେବା ପରେ ଅନେକ ଲୋକ ଘର ମଧ୍ୟ ସମ୍ପୂର୍ଣ୍ଣ କରିଦେଇଥିବା ବେଳେ କିଛି ନିର୍ମାଣାଧୀନ ରହିଛି। କିନ୍ତୁ ବର୍ତ୍ତମାନ ବାଲେଶ୍ୱରରୁ ନୀଳଗିରିରେ ଏକ ନୂତନ ରେଳଧାରଣା ହେବାକୁ ଯାଉଛି। ଏଥିପାଇଁ ସେମାନଙ୍କୁ ରେଲଓ୍ବେ ପକ୍ଷରୁ ୧୫ଦିନ ମଧ୍ୟରେ ଘର ଛାଡ଼ିବା ପାଇଁ ନୋଟିସ୍‌ ହୋଇଛି। ଏହାକୁ ବିରୋଧ କରି ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ନୋଟିସ୍‌ ପାଇଥିବା ବ୍ୟକ୍ତିମାନେ ସ୍ଥାୟୀ ସୁବନ୍ଦୋବସ୍ତ ପାଇଁ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ସ୍ଥାନରେ ଲୋକମାନଙ୍କୁ ପଟ୍ଟା ଓ ଭୂମିହୀନ ପ୍ରମାଣପତ୍ର ମିଳିବା ପରେ ମଧ୍ୟ କ’ଣ ପାଇଁ ରେଳ ବିଭାଗ ସେମାନଙ୍କୁ ଉଠାଇବା ପାଇଁ ନୋଟିସ ଜାରି କରିଛି, ସ୍ଥାୟୀ ପଟ୍ଟା ଓ ଭୂମିହୀନ ପ୍ରମାଣପତ୍ର (ଉଷା ରିପୋର୍ଟ) କ’ଣ ଭିତ୍ତିହୀନ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସୀନ୍ଦାଙ୍କ ସହ ୨୦ନଂ ୱାର୍ଡ଼ କାଉନସିଲର ନିରୁପମା ଦାଶ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ବାଇଁ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଶୈଳେନ୍ଦ୍ର ଦାଶ, ହୃଷିକେଶ ପାତ୍ର, ରାଜା ପାଣିଗ୍ରାହୀ ପ୍ରମୁଖ।