ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ରଘୁନାଥପୁର,୧୧ା୧(ଡି.ଏନ୍‌.ଏ.): ସରକାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ କରି ଗ୍ରାମାଞ୍ଚଳରେ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେଉଛନ୍ତି। ମାତ୍ର ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଲୋକେ ପିଇବାପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ଉଦାହରଣ ରଘୁନାଥପୁର ବ୍ଲକ ରେଢୁଆହାଟ ନିକଟ ପାନୀୟଜଳ ପ୍ରକଳ୍ପ କ୍ଷେତ୍ରରେ ଦେଖିବାକୁ ମିଳିଛି। ଗତ ସପ୍ତାହେ ହେବ ଏହି ପ୍ରକଳ୍ପରୁ ବିଦୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ହାଟରେ ଥିବା ବ୍ୟବସାୟୀ ଓ ଏହା ଉପରେ ନିର୍ଭର କରୁଥିବା ହାଟଗ୍ରାମ, ନୂଆଗଡ଼, ବାରତିରା, ମଜୁରାଇ ଗ୍ରାମବାସୀ ପିଇବାପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଇବା ପାଣି ପାଇଁ ଆଖପାଖରେ ଥିବା ନଳକୂପ ଗୁଡିକରେ ଲାଇନ ଲଗାଇ ଛିଡା ହେବାକୁ ପଡୁଛି ବୋଲି ସ୍ନେହାଂଶୁ ଜେନା ଓ ଧ୍ରୁବଚରଣ ସାହୁ ଅଭିଯୋଗ କରିଛନ୍ତି। ଠିକ୍‌ ସମୟରେ ବିଦୁତ୍‌ ବିଲ୍‌ ପୈଠ କରାଯାଇ ନ ଥିବାରୁ ଓଭରହେଡ ପାଣିଟାଙ୍କିରୁ ଟାଟା ପାୱାର କମ୍ପାନୀ ବିଦୁତ୍‌ ସଂଯୋଗ କାଟିଦେଇଥିବା କୁହାଯାଇଛି। ଏନେଇ ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କ ନିକଟରେ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଜିତ୍‌ ଦାସଙ୍କୁ ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ଏ ବିଷୟରେ ବିଡିଓ ନାୟକ କହିଛନ୍ତି, ଅଭିଯୋଗ ମିଳିଛି। ଖୁବଶୀଘ୍ର କରେଣ୍ଟ ସଂଯୋଗ କରି ପାଣି ଯୋଗାଇ ଦିଆଯିବ। ଅପରପକ୍ଷେ ପାଣି ସମସ୍ୟା ଦୂର ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Share