ବରଗଡ଼ ଅଫିସ,୨୪।୪: କରୋନା ମୁକାବିଲା ପାଇଁ କଟକଣାକୁ କଡାକଡି କରାଯାଇଛି। ହେଲେ ବରଗଡ଼ ଜିଲା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଅତାବିରା ନିର୍ବାଚନ ମଣ୍ଡଳୀ ଅଧୀନ ଭେଡ଼େନ ବ୍ଲକର ଥୁଆପାଲି ଏବଂ ଗୁରୁପାଲି ଗ୍ରାମରେ ଶୁକ୍ରବାର, ଶନିବାର ୨ଟି ଜନଗହଳି କାର୍ଯ୍ୟକ୍ରମରେ ବିଧାୟିକା ଯୋଗଦେବା ଏବଂ ଗୋଟିଏ କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତିରେ ଶୋଭାଯାତ୍ରା ହେବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜିଲା କଂଗ୍ରେସ ସଭାପତି ନିହାର ମହାନନ୍ଦ ଏଭଳି ଅଭିଯୋଗ ଆଣି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପଚାରିବାରୁ ସୀମିତ ଲୋକଙ୍କ ଗହଣରେ କୋଭିଡ୍ କଟକଣା ମଧ୍ୟରେ କାର୍ଯ୍ୟକ୍ରମ ହେବାର ଥିଲା। ସ୍ଥାନୀୟ ମହିଳାମାନେ ତାଙ୍କୁ ସ୍ବାଗତ କରିବା ପାଇଁ ସେଠାକୁ ଆସିଥିଲେ ଏବଂ ସମସ୍ତେ ମାସ୍କ ପରିଧାନ କରିଥିଲେ ବୋଲି କହିଛନ୍ତି।