ଚିଟ୍‌ଫଣ୍ଡରେ ଟଙ୍କା ରଖି ଲୋକେ ହତାଶ: ବଣ୍ଡ୍‌ ଧରି ଥାନାରେ ପହଞ୍ଚିଲେ ହିତାଧିକାରୀ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁର ଲୋକେ ଦୀର୍ଘ ବର୍ଷ ହେଲା ଚିଟ୍‌ଫଣ୍ଡରେ ଟଙ୍କା ରଖି ଠକେଇର ଶିକାର ହୋଇଛନ୍ତି। ଏପରିକି ଆଜିପର୍ଯ୍ୟନ୍ତ ଟଙ୍କା ଫେରି ପାଇବା କିମ୍ବା କ୍ଷତିପୂରଣ ପାଇବାର କୌଣସି ବିକଳ୍ପ ନ ପାଇ ହତାଶ ହୋଇ ଶେଷରେ ହିତାଧିକାରୀ ବଣ୍ଡ୍‌ ଧରି ପାପରମେଟେଲା ଥାନାରେ ଏଜେଣ୍ଟଙ୍କ ନାମରେ ଏତଲା ଦେଇଥିବା ଜଣାପଡ଼ିଛି।

ଗତ ୨୦.୧୦.୨୦ରେ ବିଭିନ୍ନ ପଞ୍ଚାୟତ ଶହ ଶହ ଚିଟ୍‌ଫଣ୍ଡ ଜମାକାରୀ ନିଜର ବଣ୍ଡ୍‌ ଧରି କ୍ଷତିପୂରଣ ପାଇଁ ଆନ୍ଦୋଳନ କରି ପଦକ୍ଷେପ ନେବାକୁ ଦାବି କରିଥିଲେ ମଧ୍ୟ ତା’ର କୌଣସି ସୁଫଳ ପାଇନାହାନ୍ତି। ସନସାଇନ୍‌ କମ୍ପାନୀ ଓ ପିଏସିଏଲ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀର ଏଜେଣ୍ଟଙ୍କ ନାମରେ ଏନେଇ ଲୋକେ ଅଭିଯୋଗ କରିଛନ୍ତି। କେବଳ କଦଳୀବନ୍ଧା ନୁହେଁ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବହୁ ଗ୍ରାମ ଲୋକ ଟଙ୍କା ରଖି ହତାଶ ହୋଇଛନ୍ତି। ଅଭିଯୋଗକାରୀ ଲେକୁ ଖୀଲ,ଏରାନା ଖିଲ,ସନୁ ହାନ୍ତାଲ, ଲେସେ ହନ୍ତାଳ ପ୍ରମୁଖ ଏଜେଣ୍ଟ ପୀତାମ୍ବର ଖେମୁଡୁ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପାପରମେଟେଲା ଥାନାଧିକାରୀ ଲଷ୍ମୀନାରାୟଣ ମୁଦୁଲିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଅଭିଯୋଗ କରାଯାଇଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।