ମାଡୁଛି ଡେଙ୍ଗୁ, ଲୋକେ ଆତଙ୍କିତ

ରାଇବଣିଆ, ୧୯ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସର୍ଦାରବନ୍ଧ ପଞ୍ଚାୟତ ଚୂଡ଼ାମଣିପୁର, ବୋଇତାଳୁପଦା ଓ ପଞ୍ଚୁଘଣ୍ଟାରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏହି ଗାଁର ପ୍ରତି ପରିବାରରେ କେହି ନା କେହି ଜ୍ୱରରେ ପୀଡ଼ିତ ଅଛନ୍ତି। ୩ ଗାଁରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ହାତୀଗଡ଼ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୋମବାର  ୨୪ଜଣ ଆକ୍ରାନ୍ତଙ୍କ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ନମୁନା ପରୀକ୍ଷା ପରେ ୧୨ଜଣଙ୍କ ରିପୋର୍ଟ ପଜିଟିଭ ରିପୋର୍ଟ ଆସିଛି।
ସୁଗୋ, ପଞ୍ଚୁଘଣ୍ଟାରେ ୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଳେଶ୍ୱରରେ  ମୋଟ ୨୦ଜଣ ଆକ୍ରାନ୍ତ ହୋଇଥିବା ମେଡିକାଲ ଅଫିସର ପ୍ରଭାସ କୁମାର ନାୟକ ସୂଚନା ଦେଇଛନ୍ତି। ଏତେସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ବାଲେଶ୍ୱର ସାସ୍ଥ୍ୟ ବିଭାଗର ଅଧିକାରୀ ବିସି ସୁରଙ୍କ ନେତୃତ୍ୱରେ ଏକ ଦୁଇ ଜଣିଆ ଟିମ୍‌ ଗାଁକୁ ଯାଇ ସ୍ଥିତି ପରୀକ୍ଷା କରିଛନ୍ତି। ସେହିପରି ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗାଁର ଆଶା କର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନେଇ ଏକ ଟିମ୍‌ ନିୟମିତ ଉକ୍ତ ଅଞ୍ଚଳକୁ ଯାଉଛନ୍ତି। ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଡେଙ୍ଗୁ ମୁକାବିଲା ପାଇଁ ସଚେତନ କରାଉଛନ୍ତି ବୋଲି ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଏପରି ସମୟରେ ସର୍ଦ୍ଦାରବନ୍ଧ ପଞ୍ଚାୟତରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା ସହ ରକ୍ତନମୁନା ସଂଗ୍ରହ ସହ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଁ ସାଧାରଣରେ ଦାବି ହୋଇଛି। ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା ଦାବି କରିଛନ୍ତି। ସର୍ଦ୍ଦାରବନ୍ଦ ପଞ୍ଚାୟତରେ ପ୍ରଥମେ ୩ଟି ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇ ବାଲେଶ୍ୱର ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଜଣେ ଡେଙ୍ଗୁ ରୋଗୀ ସୁସ୍ଥ ହୋଇ ଘରକୁ ଆସିଥିଲା ବେଳେ ଆଉ ୨ ଜଣ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସର୍ଦ୍ଦାରବନ୍ଧ  ପଞ୍ଚାୟତରେ ଡେଙ୍ଗୁ ରୋଗୀର ନିରାକରରଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ମାଧ୍ୟମରେ  ମନ୍ତ୍ରୀ ଅଶ୍ୱିନୀ ପାତ୍ର ଜଣାଇଛନ୍ତି । ଏନେଇ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ପ୍ରଭାସ କୁମାର ନାୟକ ପ୍ରତିକ୍ରିୟାରେ କହିଛନ୍ତି, ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହେଲେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଉଛି।