Categories: ଜାତୀୟ

ନିର୍ବାଚନୀ ରାଲି ପାଇଁ ମିଳୁନାହାନ୍ତି ଲୋକ, ଚିନ୍ତାରେ ନେତା

ନୂଆଦିଲ୍ଲୀ,୩୧।୧୦: ଆରମ୍ଭ ହେଲାଣି ନିର୍ବାଚନୀ ଋତୁ। ଏହି କ୍ରମରେ ମୋଟ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହିସବୁ ରାଜ୍ୟଗୁଡିକ ହେଲା ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ। ହେଲେ ନିର୍ବାଚନ ରାଲି ଓ ପ୍ରଚାରକୁ ନେଇ ଚିନ୍ତାରେ ଏବେ ନେତା। କାରଣ ବର୍ତ୍ତମାନ ଗହମ ଅମଳର ସମୟ। ମୁଖ୍ୟତଃ ମଧ୍ୟପ୍ରଦେଶ, ରାଜସ୍ଥାନ ଏହି ଦୁଇଟି ବଡ ରାଜ୍ୟରେ ଅଧିକ ଗହମ ଉତ୍ପାଦନ କରାଯାଏ। ଫଳରେ ଏଠାକାର ଗ୍ରାମାଞ୍ଚଳର କୃଷକମାନେ ଏବେ ଚାଷକାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଯାହାଦ୍ୱାରା ବିଭିନ୍ନ ରାଜନୈତିକ ଦଳ ଦ୍ୱାରା କରାଯାଉଥିବା ପ୍ରଚାର ଓ ରାଲିରେ ଗ୍ରାମାଞ୍ଚଳ ଲୋକମାନେ ଯୋଗଦେଇ ପାରୁ ନାହାନ୍ତି। ଏତିକିବେଳେ ନେତାଙ୍କର ଏବେ ଭରସା ସହରୀମାନଙ୍କ ଉପରେ। ହେଲେ ସହରୀମାଡ଼ଙ୍କ ଡିମାଣ୍ଡ ରହୁଛି ଅଧିକ। ଯଦି ଆମେ ଏହାକୁ ସାଧାରଣ ଭାଷାରେ କହିବା ତେବେ ଗ୍ରାମାଞ୍ଚଳର ଲୋକମାନେ ବିଭିନ୍ନ ରାଜନୈତିକ ରାଲିରେ ଯୋଗଦେବା ପାଇଁ ୨ଶହରୁ ୩ଶହ ଟଙ୍କା ନେଉଥିବାବେଳେ ସହରୀମାନଙ୍କ ଡିମାଣ୍ଡ କିନ୍ତୁ ୮ଶହୁ ହଜାରେ ଯାଏଁ ରହୁଛି। ଯାହାଦ୍ୱାରା ନେତାଙ୍କୁ ଏବେ ଖର୍ଚ୍ଚାନ୍ତର ଚିନ୍ତା ଘାରିଛି।

ନିର୍ବଚନୀ ରାଲିରେ ଶକ୍ତି ପ୍ରଦର୍ଶନ ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଏକାଠି କରି ଭିଡ କରାଇବା ଜରୁରୀ ହୋଇପଡେ। ତେବେ ଏହି ସମୟରେ ଗାଁ ଲୋକ ଖାସ୍‌ କରି କୃଷକଙ୍କୁ ଏକାଠି କରି ନିର୍ବାଚନୀ ପ୍ରଚାର, ରାଲି, ସଭାରେ ବସାଇବା ଦ୍ୱାରା ସେମାନଙ୍କର ହାତଖର୍ଚ୍ଚ ପାଇଁ ବିଭିନ୍ନ ଆଡୁ ଆମଦାନୀ ହୋଇଯାଏ। କିନ୍ତୁ ବର୍ତ୍ତମାନ ସମୟ ବିପରୀତ ହୋଇଯାଇଛି। ସେମାନେ ଏବେ ଅମଳ କାମରେ ବ୍ୟସ୍ତ ରହିବା ଯୋଗୁ ସହରୀଙ୍କୁ ରାଲିରେ ଯୋଗଦେବାକୁ ଡକାଯାଉଛି। ଗାଁ ଲୋକଙ୍କୁ କେବଳ ହାତଖର୍ଚ୍ଚ ଦେଉଦେଉଥିଲେ କାମ ସରୁଥିଲା କିନ୍ତୁ ସହରୀଙ୍କୁ ଆଣିବା ଦ୍ୱାରା ସେମାନଙ୍କ ଯିବାଆସିବା ଖର୍ଚ୍ଚ ଠାରୁ ଆରମ୍ଭ କରି ଖାଇବା-ପିଇବା, ହାତଖର୍ଚ୍ଚ ଇତ୍ୟାଦି ବୁଝିବାକୁ ପଡୁଛି।

ସେପଟେ ନିର୍ବାଚନୀ ରାଲିରେ ଯୋଗଦେବାକୁ ଆସୁଥିବା ସହରୀମାନେ କହିଛନ୍ତି, ସହରରେ ଚାଷ କିମ୍ବା ମୂଲ ଲାଗିରେ ଯେତିକି ପାରଶ୍ରମିକ ମିଳୁଥିଲା ରାଜନୈତିକ ଦଳ ଠାରୁ ଏଠାରେ ଦୁଇଗୁଣା ଅଧିକ ଟଙ୍କା ମିଳୁଛି। ଦିନକର ପାରଶ୍ରମିକ ଠାରୁ ଦୁଇ ତିନୋଟି ରାଲିରେ ଯୋଗଦେଲେ ତା’ଠାରୁ କେଇଗୁଣା ଅଧିକ ଟଙ୍କା ମିଳୁଛି ବୋଲି ସେମାନେ କହିଛନ୍ତି।

Share