ପ୍ଲାଜ୍‌ମା ଦେବାକୁ ଲୋକେ ଅନାଗ୍ରହୀ

ନୂଆଦିଲ୍ଲୀ,୨୫ା୭(ପି.ଟି.): କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସହାୟକ ହେଉଥିବାବେଳେ ଏଥିପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲାଯାଇଛି। କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହା ସତ୍ତ୍ୱେ ପ୍ଲାଜ୍‌ମା ଦାନ ପାଇଁ ଆରୋଗ୍ୟଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉନାହିଁ। ସେମାନଙ୍କ ମନରେ ଅଜଣା ଭୟ ରହୁଥିବା ଡାକ୍ତରମାନେ କହିଛନ୍ତି। ଦିଲ୍ଲୀରେ ଜୁଲାଇ ୨ରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୨୦ ଜଣ ପ୍ଲାଜ୍‌ମା ଦାନ କରିଛନ୍ତି। ଦିଲ୍ଲୀରେ ଲକ୍ଷେରୁ ଅଧିକ ଲୋକ କୋଭିଡ୍‌ରୁ ଆରୋଗ୍ୟ ହୋଇସାରିଲେଣି। ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲିଭର ଆଣ୍ଡ ବିଲିଆରି ସାଇନ୍ସ (ଆଇଏଲ୍‌ବିଏସ୍‌)ରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲିବା ଦିନ ୧୦ ଜଣ ପ୍ଲାଜ୍‌ମା ଦାନ କରିଥିଲେ। ଏହା ପରେ ଦିନକୁ ହାରାହାରି ୧୫ ଜଣ ପ୍ଲାଜ୍‌ମା ଦେବାକୁ ଆସୁଛନ୍ତି। ପ୍ଲାଜ୍‌ମା ଦେଲେ କୌଣସି କ୍ଷତି ନାହିଁ। କିନ୍ତୁ ଲୋକମାନଙ୍କ ମନରେ ଏକପ୍ରକାର ଅଜଣା ଭୟ ରହୁଥିବା ଆଇଏଲ୍‌ବିଏସ୍‌ର ଜଣେ ଅଧିକାରୀ କହିଛନ୍ତି। ସେହିପରି ଏଲ୍‌ଏନ୍‌ଜେପି ହସ୍ପିଟାଲ ପ୍ଲାଜ୍‌ମା ବ୍ୟାଙ୍କକୁ ଏପର୍ଯ୍ୟନ୍ତ ମାତ୍ର ୧୯ ଜଣ ପ୍ଲାଜ୍‌ମା ଦାନ କରିଛନ୍ତି।

Share