ବାଙ୍କୀରେ ପଶିଲା ମହାନଦୀ ପାଣି: ଲୋକେ ଆତଙ୍କିତ

ବାଙ୍କୀ,୨୯।୮(ସ୍ବ.ପ୍ର.): ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଗୟଳବାଙ୍କଠାରେ ଶନିବାର ମହାନଦୀର ବନ୍ୟାଜଳ ଘାଇ ଭଙ୍ଗା ପୋଲଦେଇ ବିଲରେ ମାଡ଼ୁଛି। ବାଙ୍କିରେ ମହାନଦୀର ବନ୍ଧ ପାଠପୁରଯାଏ ରହିଛି। ଏବେ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ସେଠାରେ ଜଣେ ଘରୋଇ ବ୍ୟକ୍ତି ଚାଷଜମିକୁ ନିରାପଦରେ ରଖିବା ପାଇଁ ନିଜେ ନିର୍ମାଣ କରିଥିବା ବାଲିବନ୍ଧ ଶନିବାର ଭୁଷୁଡ଼ି ପଡ଼ିଛି। ସେ ଏହି ବନ୍ଧ ନିକଟରେ ଏକ ପୋଖରୀ ନିର୍ମାଣ କରିଥିଲେ। ବନ୍ୟାଜଳ ପୋଖରୀରେ ଭର୍ତ୍ତି ହୋଇ ସିଧାସଳଖରେ ଥିବା ଏକ ପୋଲଦେଇ ଚାଷଜମିକୁ ଯାଉଛି। ଫଳରେ ଚାଷୀମାନେ ଚିନ୍ତିତ ହୋଇଯାଇଛନ୍ତି। ସେହିଭଳି ରଣନଦୀ ଦେଇ ବନ୍ୟାଜଳ ସିଧାସଳଖ ବାଙ୍କୀ ଚାଷଜମିକୁ ପ୍ରବେଶ କରୁଛି। ଏହିଭଳି ଲାଗି ରହିଲେ ସମଗ୍ର ବାଙ୍କୀ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ। ବାଙ୍କୀରେ ବିପଦ ସଙ୍କେତ ୭.୮ ମିଟର ରହିଥିବା ବେଳେ ଏବେ ଜଳସ୍ତର ୮.୧ ମିଟର ରହଥିବା ଯୋଗୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

Share