ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ମନ୍ତବ୍ୟ ନେଇ ଲୋକେ ଆତଙ୍କିତ: କେବେ ବି ଆସି ନ ପାରେ କରୋନା ଟୀକା !

ଜେନେଭା, ୪।୮: ପୃଥିବୀରେ କରୋନା ମହମାରୀ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍‌ ଅଧୋନୋମ୍‌ ଗେବ୍ରିଏସସ୍‌ଙ୍କ ମନ୍ତବ୍ୟ ଲୋକଙ୍କୁ ଅଧିକ ଆତଙ୍କିତ କରିଦେଇଛି। ଗେବ୍ରିଏସସ୍‌ କହିଛନ୍ତି ଯେ, ହୁଏତ କେବେ ମଧ୍ୟ କରୋନା ପ୍ରତିଷେଧକ ଟୀକା ଆସି ନ ପାରେ। ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣକୁ ରୋକିବା ପାଇଁ କୌଣସି ପ୍ରଭାବଶାଳୀ ଔଷଧ ଅବା ଟୀକା ପ୍ରସ୍ତୁତ କରାଯାଇ ପାରିନାହିଁ। ହୁଏତ ଏହାର ପ୍ରତିରୋଧକ ଟୀକା ପ୍ରସ୍ତୁତି ଅସମ୍ଭବ ହୋଇପାରେ। ଏଭଳି ମନ୍ତବ୍ୟ ନେଇ ଲୋକଙ୍କ ମଧ୍ୟରେ ଟୀକାର ମାନବ ପ୍ରୟୋଗ ନେଇ ଦେଖାଦେଇଥିବା ଆଶା ମଉଳି ଯାଇଛି। ଏହାପୂର୍ବରୁ ବହୁଥର ଗେବ୍ରିଏସସ୍‌ କହିଛନ୍ତି ଯେ, ହୁଏତ ଆମକୁ କରୋନା ସହିତ ବଞ୍ଚିବାକୁ ପଡ଼ିପାରେ। କରୋନା ଅନ୍ୟ ଭୂତାଣୁଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହା ନିଜର ସରଞ୍ଚନା ଭିନ୍ନ ଭିନ୍ନ ପରିବେଶରେ ପରିବର୍ତ୍ତନ କରିବାକୁ ସକ୍ଷମ। ତେଣୁ ନିୟମିତ ସମୟ ଅନ୍ତରରେ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ସମ୍ପ୍ରତି ରୁଷ୍‌ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କରିସାରିଥିବାବେଳେ ଏହାର ପ୍ରୟୋଗ ମଞ୍ଜୁରୀ ଅପେକ୍ଷାରେ ରହିଛି। ସେହିଭଳି ଆମେରିକା, ଭାରତ, ବ୍ରିଟେନ୍‌ ଆଦି ବହୁ ରାଷ୍ଟ୍ରରେ ମଧ୍ୟ କରୋନା ଟୀକାର ଟ୍ରାଏଲ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପରିସ୍ଥଳେ ଗେବ୍ରିଏସସ୍‌ଙ୍କ ମନ୍ତବ୍ୟ ଲୋକେ ଆଶା ଏବଂ ଆଶଙ୍କା ମଧ୍ୟରେ ରହିଛନ୍ତି।

Share