ରାତି ଅନିଦ୍ରା ହୋଇ ହାତୀ ଜଗୁଛନ୍ତି ଲୋକେ

ଭବାନୀପାଟଣା/ଲାଞ୍ଜିଗଡ଼,୬।୧(ସ୍ବ.ପ୍ର./ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ୮ ଦିନ ହେଲା ଗୋଟିଏ ଏକୁଟିଆ ଦନ୍ତା ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତ ବିଭିନ୍ନ ଗାଁ ଲୋକଙ୍କୁ ନାକେଦମ କରିଛି। ସା ହେଲେ ଜଙ୍ଗଲରୁ ବାହାରି ବହୁ କ୍ଷୟକ୍ଷତି କରୁଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଛତ୍ରପୁର ପଞ୍ଚାୟତ ବାରବୁଲି ଗାଁରେ ପଶି ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା(ଓପିଲିପି) ପକ୍ଷରୁ ନିର୍ମାଣ କରାଯାଇଥିବା ପାଣି ଟାଙ୍କି ଭାଙ୍ଗି ଦେଇଛି। ଗାଁ ନିକଟସ୍ଥ ଜମିରେ ଜନ ସାହାଯ୍ୟ ସଂସ୍ଥା ଦ୍ବାରା ପ୍ରସ୍ତୁତ କରାଯାଇଥିବା ଟବେରୀ ଚାଷ ପ୍ରଣାଳୀକୁ ମଧ୍ୟ ମାଡି ଚକଟି ପାଇପ ଲାଇନ ଭାଙ୍ଗି ଦେଇଛି। ଗ୍ରାମର କର୍ଣ୍ଣ ମାଝି, ଗୌରାଙ୍ଗ ମାଝି, ବନ ମାଝି, ରାଇ ମାଝି, ସାନ ମାଝି, ପୂର୍ଣ୍ଣ ମାଝି ଓ ରାଜେଶ ମାଝି ଠେଙ୍ଗାବାଡି, ବାଜାବାଜଣା ଧରି ରାତିସାରା ଗାଁ ଜଗି ରହିଥିଲେ। ଏହି ପଟିକିଆ ଦନ୍ତା ୮ ଦିନ ହେଲା ଅଞ୍ଚଳରେ ତାଣ୍ଡବ ରଚିଥିବା ବେଳେ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପାଖରେ କୌଣସି ବିକଳ୍ପ ନାହିଁ। ମାତ୍ର ୨ରୁ ୩ଜଣ ଏଲିଫାଣ୍ଟ ସ୍କ୍ବାଡ଼ଙ୍କୁ ଦାୟିତ୍ୱ ଦେଇ ଚୁପ୍‌ ହୋଇବସିଛି। ଅନ୍ୟପଟେ ଲୋକେ ବାଜା ବଜାଇ ଗାଁ ଜଗୁଛନ୍ତି। ଗତ ୨୮ ତାରିଖ ବିଳମ୍ବିତ ରାତିରେ ଏକ ୮ ଟିକିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗ ଅଧୀନ ଝଜୁରପଦର ଗାଁରେ ପସି ଦୁଇ ଘର ଭାଙ୍ଗିବା ସହ କପା, ଧାନ, ଚାଉଳ, ଆବାସପତ୍ର ନଷ୍ଟ କରିଥିତ୍ବା ଜଣାପଡ଼ିଛି। ଗତ ୨୭ ତାରିଖରେ ନିକଟସ୍ଥ ଗାଁ ଲେପଟାଗୁଡ଼ାରେ ଏହି ହାତୀଙ୍କ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିଲେ। ହାତୀ ଭୟରେ ଲୋକେ ଲାଞ୍ଜିଗଡ଼-ବନ୍ଧପାରି ମୁଖ୍ୟ ରାସ୍ତାରେ ଆଜିକୁ ୮ ଦିନ ହେଲା ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିବା ବେଳେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଜିଲା ଉଚ୍ଚସ୍ତରୀୟ ଅଧିକାରୀ ଏଥିପ୍ରତି ଅତିଶୀଘ୍ର ଦୃଷ୍ଟି ନ ଦେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଅଞ୍ଚବାସୀ ଚେତାବନୀ ଦେଇଛନ୍ତି।

Share