ବାଲି ଚାଲାଣକୁ ବିରୋଧ: ପୋଡ଼ିଦେଲେ ଟ୍ରକ୍‌, ଟ୍ରାକ୍ଟର

ହିଞ୍ଜିଳିକାଟୁ,୨୩।୮(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ପୁରୁଷୋତ୍ତମପୁର ତହସିଲ କୋଳିଦାସପୁରରେ ଶୁକ୍ରବାର ରାତିରେ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ୩ ଟ୍ରକ୍‌, ଗୋଟିଏ ଟ୍ରାକ୍ଟରକୁ ପୋଡି ଦେଇଛନ୍ତି। ଏଥିସହ ବାଲି ମାଫିଆଙ୍କ ୨ ବାଇକ୍‌ ପୋଡ଼ି ଦେବାସହ ଏକ ଜେସିବି ଭଙ୍ଗାରୁଜା କରିଛନ୍ତି। ଶନିବାର ଗ୍ରାମରେ ଉତ୍ତେଜନା ସହ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଋଷିକୁଲ୍ୟା ନଦୀ କୋଳିଦାସପୁର ଘାଟରୁ ବେଆଇନ ବାଲି ଚାଲାଣ ହେଉଛି। ପାଖ ଗ୍ରାମ ପ୍ରତି ବନ୍ୟା ଆଶଙ୍କା ଥିବା ଦର୍ଶାଇ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଛନ୍ତି। ପ୍ରାୟ ମାସେ ତଳେ ଗ୍ରାମରେ ବାଲି ଉଠାଣକୁ ନେଇ ବୈଠକ ହୋଇଥିଲା। ବହୁ ଗ୍ରାମବାସୀ ବାଲି ଉଠାଣକୁ ବିରୋଧ କରିଥିବାବେଳେ କେତେଜଣ ସମର୍ଥନ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ୨ ଗୋଷ୍ଠୀ ହୋଇଥିଲେ। ସପକ୍ଷ ଗୋଷ୍ଠୀ ମାଫିଆଙ୍କ ସହ ମିଶି ବାଲି ଚାଲାଣ କରି ଆସୁଥିଲେ। ବହୁ ଲୋକଙ୍କ ବିରୋଧ ସତ୍ତ୍ୱେ ବାଲି ମାଫିଆ ଗତ କିଛିଦିନ ହେଲା ରାତିରେ ଟ୍ରକ ଓ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରୁଥିଲେ। ରାଜସ୍ବ ବିଭାଗ, ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିଲା। ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା। ଶୁକ୍ରବାର ରାତିରେ ବାଲିମାଫିଆ ଓ ବାଲି ଚାଲାଣକୁ ବିରୋଧ କରୁଥିବା ଗ୍ରାମବାସୀ ମୁହଁାମୁହିଁ ହୋଇଥିଲେ। ଗ୍ରାମବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ମାଫିଆ ଓ ଟ୍ରକ୍‌ ଏବଂ ଟ୍ରାକ୍ଟର ଚାଳକ ଗାଡି ଛାଡି ଦୌଡ଼ି ପଳାଇଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ବାଲି ମାଫିଆଙ୍କ ୨ ବାଇକ୍‌, ୩ ଟ୍ରକ୍‌ ଓ ଗୋଟିଏ ଟା୍ରକ୍ଟରରେ ନିଆଁ ଲଗାଇ ଦେଇଥିଲେ। ବାଲି ଉଠାଣ ପାଇଁ ବ୍ୟବହୃତ ଜେସିବିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।
ଏନେଇ ବାଲି ନେଉଥିବା ରାମକୃଷ୍ଣ ବରଡ଼ ଶନିବାର ଥାନାରେ ଏତଲା ଦେଇଛନ୍ତି। ମନ୍ଦିର କାମ ପାଇଁ ବାଲି ଉଠାଯାଉଥିବାବେଳେ କେତେଜଣ ବ୍ୟକ୍ତି ଆସି ଦାଦାବଟି ମାଗିଥିଲେ। ମନା କରିବାରୁ ଗାଡି ପୋଡି ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ମାମଲା (ନଂ.୨୮୯/୨୦) ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି।