ପେଗାସସ୍‌ ପାଇଁ ଶାନ୍ତିରେ ଶୋଇପାରୁଛନ୍ତି ଲୋକେ

ଜେରୁଜେଲମ, ୨୫ା୭: ଇସ୍ରାଏଲରେ ପ୍ରସ୍ତୁତ୍‌ ସ୍ପାଏଓ୍ବେର ପେଗାସସ୍‌କୁ ନେଇ ବିବାଦ ଥମୁ ନ ଥିବାବେଳେ ଏହାର ନିର୍ମାତା ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ନିଜ ପକ୍ଷ ରଖିଛି। ପେଗାସସ୍‌ ଟେକ୍ନୋଲୋଜି ଯୋଗୁ ବିଶ୍ୱର କୋଟି କୋଟି ଲୋକ ରାତିରେ ଶାନ୍ତିରେ ଶୋଇପାରୁଛନ୍ତି। ବିଭିନ୍ନ ଦେଶର ଗୋଇନ୍ଦା ସଂସ୍ଥା ଏହାକୁ ବ୍ୟବହାର କରି ଅନେକ ଅପରାଧ, ଆତଙ୍କବାଦୀ କାର୍ଯ୍ୟକଳାପକୁ ପୂର୍ବରୁ ରୋକି ଦେଉଛନ୍ତି। ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ଶନ ସହାୟତାରେ ଲୁଚି ରହିଥିବା ଅପରାଧୀଙ୍କୁ ଧରାଇବାରେ ଏହା ବେଶ୍‌ ସହାୟକ ହୋଇପାରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ତେବେ ଏହା ଦ୍ୱାରା ସଂଗୃହୀତ ତଥ୍ୟ ଏନ୍‌ଏସ୍‌ଓ ନିଜ ପାଖରେ ରଖେ ନାହିଁ କିମ୍ବା ସେହି ଟେକ୍ନୋଲୋଜିର ପରିଚାଳନା କରି ନ ଥାଏ ବୋଲି ଏନ୍‌ଏସ୍‌ଓର ଜଣେ ମୁଖପାତ୍ର ପ୍ରକାଶ କରିଛନ୍ତି। ଏକ ସୁରକ୍ଷିତ ପୃଥିବୀ ଗଠନ ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାର କରାଯାଇ ବିଭିନ୍ନ ଦେଶରେ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ, ରାଷ୍ଟ୍ରମୁଖ୍ୟ, ରାଜନେତା, ବିଚାର ବିଭାଗୀୟ କାର୍ଯ୍ୟକର୍ତ୍ତା, ସାମାଜିକକର୍ମୀ, ଖବରଦାତା ପ୍ରମୁଖଙ୍କ କାର୍ଯ୍ୟକଳାପ ତଥା ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ନିକଟରେ ‘ଦି ଓ୍ବେର’ ନ୍ୟୁଜ୍‌ ଓ୍ବେବସାଇଟ୍‌ ରିପୋର୍ଟ ପ୍ରକାଶ କରିଥିଲା। ଭାରତରେ ୩ ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଏହା ଯୋଗେ ଟ୍ରାକ୍‌ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।

Share