Categories: ରାଜ୍ୟ

ମନଇଛା କାଟିପାରିବେନି ତାଳଗଛ; ନେବାକୁ ପଡ଼ିବ ସରକାରଙ୍କ ଅନୁମତି

ଭୁବନେଶ୍ୱର, ୧।୭: ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଅନୁମତି ନ ନେଇ ଲୋକେ ତାଳଗଛ କାଟିପାରିବେନି ।

ଗତ ଏପ୍ରିଲ ମାସରେ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ବଜ୍ରପାତଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ସତ୍ୟବ୍ରତ ସାହୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କୃଷି ଓ ସଶକ୍ତୀକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା। ଏହା ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା। ସହରୀକରଣ ଯୋଗୁ ସମୟ କ୍ରମେ ତାଳଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି। ଯଦ୍ଦ୍ବାରା ବିଲବାଡ଼ିରେ କାମ କରୁଥିବା କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି। ବିଶେଷ କରି ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁ ଅନେକ ଲୋକ ମୃତାହତ ହେଉଛନ୍ତି। ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ। ପୂର୍ବରୁ ତାଳଗଛ ଯେ କେବଳ ବଜ୍ରପାତରୁ ରକ୍ଷା କରୁ ନ ଥିଲା ବରଂ ଏହାର ଫଳକୁ ଖାଦ୍ୟ ଓ ପାନୀୟ ଆକାରରେ ବ୍ୟବହାର କରାଯାଉଥିଲା। ତାଳଗଛର ବାହୁଙ୍ଗାକୁ ଛପର ଓ ଟୋକେଇ ତିଆରିରେ ବ୍ୟବହୃତ କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ସମସ୍ତ ରାଜ୍ୟ ଓ ଜାତୀୟ ରାଜପଥ, ଗ୍ରାମାଞ୍ଚଳ, ସଂରକ୍ଷିତ ଜଙ୍ଗଲ ଓ କ୍ଷେତରେ ତାଳଗଛ ଲଗାଇବାକୁ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବନଖଣ୍ଡକୁ ଜଣାଇଥିଲା। ହେଲେ ତାହା ଫଳପ୍ରଦ ହୋଇପାରି ନାହିଁ। ତାଳଗଛ ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ଅନେକାଂଶରେ ସହାୟକ ହେବ ବୋଲି ପରିବେଶବିତ୍‌ ମତ ଦେଉଛନ୍ତି।

Share