ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳିପାରୁ ନାହିଁ। ଫଳରେ ପଡ଼ାବାସୀ ଚିନ୍ତାରେ ରହିଛନ୍ତି। ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ପଡ଼ାବାସୀ ସୋମବାର କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଜବାଜ ହେଉଛନ୍ତି।

ସୂଚନାଯୋଗ୍ୟ, ପଡ଼ାବାସୀ ରେଗଡା ବସ୍ତିରେ ଭୂମୀ ହୀନ ହୋଇଥିବାରୁ ପର ଘରେ ବହୁ କଷ୍ଟରେ ରହୁଥିଲେ। ତେବେ ୧୯୮୦ରେ ରାଜ୍ୟ ସରକାର ରେଗଡାର ରଜାପଡାଠାରେ ୧୩ଟି ପରିବାରକୁ ସ୍ବତନ୍ତ୍ର କଲୋନିପଡ଼ା ସ୍ଥାପନ କରି ଭୂମିହୀନ ଗୋପାଳ କୁମାର, ହେମାନ୍ଦ୍ର ବାଗ, ବେଲାର ସିଙ୍ଗ, ଚତୃ ବାଗ, ପିତାମ୍ବର ବାଗ, ମହେଶ୍ୱର ବାରିକ, ଛୋଟାଲାଲ ସୁନା, କୁମାରୀ ବେୱ, ନାରଦ ସୁନା, ଫକୀର ନାଗ, ପ୍ୟାରୀ ସୁନା, ହୃଷୀ ନାଗ, ଭୀମ ନାଗଙ୍କୁ ବାସ ଗୃହ ଯୋଗାଇ ଦେଇଥିଲେ। ଏହା ବ୍ୟତିତ କିଛି ଲୋକଙ୍କୁ ସେହି ସ୍ଥାନରେ ହିଁ ଘର ଡିହ ପଟ୍ଟା ଯୋଗାଇ ଦିଆଯାଇଥିଲା। ତେବେ ପଟ୍ଟାରେ ଥିବା ପ୍ଲଟଗୁଡିକ ରେକର୍ଡରେ ଏବେ ଗୋଚର ଜମି ସୂଚିତ କରୁଥିବାରୁ ପଟ୍ଟା ପାଇଥିବା ଗରିବ ପରିବାର ଚିନ୍ତାରେ ଥିବା କହିଛନ୍ତି। ଏ ନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ଯଦି ସେମାନେ ପଟ୍ଟା ପାଇଛନ୍ତି, ସେଟେଲମେଣ୍ଟ ରିଭିଜନ ପିଟିସନ(ଏସ୍‌ଆର୍‌ପି) ଆବେଦନ କରି ପାରିବେ ବୋଲି କହିଛନ୍ତି।

Share