ଓ୍ବିଲିଂଟନ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ସାରା ଦୁନିଆ କରୋନା ସହିତ ଲଢ଼େଇ କରୁଥିବା ବେଳେ ନ୍ୟୁଜିଲାଣ୍ଡରେ ଏକ ବଡ଼ ମ୍ୟୁଜିକ୍ କନସର୍ଟ ଅନୁଷ୍ଠିତ ହୋଇଛି। ଏଥିରେ ୫୦ ହଜାରରୁ ଅଧିକ ଲୋକ ଯୋଗଦେଇଛନ୍ତିି। ଲୋକେ କରୋନା ମାର୍ଗ ଦର୍ଶିକାକୁ ଉଲ୍ଲଂଘନ କରି ବିନା ମାସ୍କ୍ରେ ନାଚିଛନ୍ତି। ନ୍ୟୁଜିଲାଣ୍ଡର ବ୍ୟାଣ୍ଡ୍ ସିକ୍ସ୍-୬୦ ପକ୍ଷରୁ ଅକ୍ଲାଣ୍ଡର ଇଡେନ ପାର୍କରେ ଏହି ମ୍ୟଜିକ୍ କନସର୍ଟ ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ, କରୋନା ଲଢ଼େଇରେ ନ୍ୟୁଜିଲାଣ୍ଡର ସୁରକ୍ଷା ବ୍ୟବସ୍ଥାକୁ ପୃଥିବୀରେ ତାରିଫ୍ କରାଯାଉଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୧ ଥିବାବେଳେ ମୃତକଙ୍କ ସଂଖ୍ୟା ୨୬ ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ଥାନୀୟ ସରକାର ସମସ୍ତ ଅନ୍ତର୍ଜାତୀୟ ସୀମାକୁ ସିଲ୍ କରିଥିଲେ। ସେହିପରି ସମସ୍ତ ବିଦେଶୀ ବିମାନ ଉଡ଼ାଣ ଉପରେ କଟକଣା ଜାରି କରାଯାଇଥିଲା। ଏହା ସହିତ ନମୁନା ପରୀକ୍ଷା ଓ କଣ୍ଟାକ୍ଟ ଟ୍ରେସିଂକୁ ଦେଶରେ ଗୁରୁତ୍ୱ ପ୍ରଦାନ କରାଯାଇ କରୋନାକୁ ପରାଜିତ କରାଯାଇଥିଲା।