Categories: ଜାତୀୟ

କରୋନା ସଙ୍କଟ ସମୟରେ ବଢିଛି ଆତ୍ମହତ୍ୟା ମାମଲା: ରାମଗୋପଳ ଯାଦବ

ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ଅନେକ କ୍ଷତି ଘଟାଇଛି । ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାମଗୋପାଳ ଯାଦବ କହିଛନ୍ତି କରୋନା ସଙ୍କଟ ସମୟରେ ଲୋକେ ବହୁପରିମାଣରେ ଆତ୍ମହତ୍ୟା କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ବେକାରୀ ଓ ମାନସିକ ଅବସାଦ । ସେ କହିଛନ୍ତି କରୋନା ସମୟରେ ବହୁ ଘରୋଇ ସଂସ୍ଥା କଳକାରଖାନା ବନ୍ଦ ହୋଇଯାଇଛି । ଫଳରେ ଫ୍ୟାକ୍ଟ୍ରି ମାଲିକ ଓ ଏଥିରେ କାମ କରୁଥିବା ଲୋକେ ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି । ତେଣୁ ଯେଉଁମାନେ ରୋଜଗାର ହରାଇଛନ୍ତି ସେମାନେ ଅନ୍ୟପଟେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ରାମଗୋପଳଙ୍କ ସୂଚନା ଅନୁଯାୟୀ, ଗତ ୫-୬ ମାସ ମଧ୍ୟରେ ନୋଏଡାରେ କରୋନା ସଂକ୍ରମଣରେ ୪୪ ଲୋକଙ୍କ ମୃତ୍ୟୁ ହୋଇଛି । ହେଲେ ଏହି ସମୟରେ ଆତ୍ମହତ୍ୟାର ସଂଖ୍ୟା ୧୬୫ରେ ପହଞ୍ଚିଛି । ରାମଗୋପଳ କହିଛନ୍ତି ଏହି ସମୟରେ ଅନେକ ପରିବାର ଭୋକ ଓପାସରେ ଦିନ କାଟୁଛନ୍ତି । ତେଣୁ କେନ୍ଦ୍ର ସରକାର ଏଦିଗରେ ଧ୍ୟାନଦେଇ ପ୍ରତି ପରିବାରକୁ ମାସକୁ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ଏମିତି କରାଗଲେ ରୋଜଗାର ହରାଇଥିବା ଲୋକଙ୍କ ମନରେ ଟିକେ ପରିବର୍ତ୍ତନ ଆସିବ ଓ ସେମାନେ ଆଉ ଆତ୍ମହତ୍ୟା କରିବେ ନାହିଁ ବୋଲି କହିଛନ୍ତି ରାମଗୋପାଳ ।

Share