ନଦୀରେ ପଶି ରାଶନ ଆଣିବାକୁ ଗଲେ ଲୋକେ

ଆର.ଉଦୟଗିରି,୨୫ା୮(ଡି.ଏନ.ଏ.): ସରକାର ଗାଁ ଗାଁକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଆଜିବି ଅନେକ ଗ୍ରାମକୁ ଭଲ ରାସ୍ତା ସହିତ ପୋଲ ଖଣ୍ଡେ ନିର୍ମାଣ ହୋଇପାରୁନି। ଯାହା ଫଳରେ ଆଜି ମଧ୍ୟ ଲୋକେ ଦୁର୍ଦ୍ଦଶାରେ ଜୀବନ ଯାପନ କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକର ଦୁର୍ଗମ ଅଞ୍ଚଳରେ। ଗତ କିଛିଦିନ ହେବ ଲଗାଣ ବର୍ଷା ହେବା ଫଳରେ ହରଭଙ୍ଗୀ ନଦୀର ଜଳ ବଢିବାରେ ଲାଗିଥିଲା। ଯାହାକି ଗୁରୁଝୋଳି ପଞ୍ଚାୟତର ବେତେଗଣ୍ଡା, ବାମଦେଇପଦା ଓ ପଣସଡ଼ିହ ଆଦି ଗ୍ରାମବାସୀ ୧୦ ଦିନ ଧରି ଜଳବନ୍ଦୀରେ ଜୀବନ କାଟୁଥିଲେ। ଦୀର୍ଘ ୧୦ ଦିନ ଜଳ ବନ୍ଦୀ ପରେ ନଦୀ ଜଳ ସ୍ତର କମିବାରୁ ଖାଉଟି ସାମଗ୍ରୀ ପାଇଁ ନିଜ ପଞ୍ଚାୟତକୁ ନଦୀ ପାର ହୋଇ ଗ୍ରାମବାସୀ ଯାଉଛନ୍ତି। ବୁଧବାର ସକାଳେ ତିନି ଖଣ୍ଡ ଗ୍ରାମବାସୀ ହରଭଙ୍ଗୀ ଡ୍ୟାମ ଗେଟ ବନ୍ଦ କରିବାକୁ ସ୍ଥାନୀୟ ଯନ୍ତ୍ରୀଙ୍କୁ ନେହୁରା ହୋଇଥିଲେ । ଯନ୍ତ୍ରୀ ସେମାନଙ୍କ କଥା ଶୁଣି ଗେଟ୍‌ ବନ୍ଦ କରିବାରୁ ନଦୀର ଜଳ ସ୍ତର କମିଥିଲା। ଯାହା କି ୩ ଖଣ୍ଡ ଗ୍ରାମବାସୀ ବିପଦ ସଂକୁଳ ଅବସ୍ଥାରେ ଛୋଟ ଛୋଟ ପିଲାମାନଙ୍କୁ ଧରି ନଦୀ ପାର ହୋଇ ଖାଉଟି ସାମଗ୍ରୀ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ୧୦ ଦିନ ଧରି ଗାଁରେ ଖାଇବା, ରହିବା ଓ ବିଜୁଳି ଭଳି ସମସ୍ୟାରେ ଜୀବନ ଅତିବାହିତ କରିଥିଲେ। ଏଭଳି ଦୁର୍ଦ୍ଦଶା ପରିସ୍ଥିତିରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରୁଛନ୍ତି। ତଥାପି କୌଣସି ସମାଧାନ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ସରକାର ଏହି ତିନି ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଭଲ ସଡ଼କ ସହ ଏକ ପୋଲ ନିର୍ମାଣ କରିବେ ତା’ହେଲେ ଏହି ତିନିଖଣ୍ଡ ଗ୍ରାମବାସୀ ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି।