Categories: ଜାତୀୟ

ଗାଈ ପାଟିରେ ବାଣ ପୂରାଇଦେଲେ ଅସାମାଜିକ ବ୍ୟକ୍ତି, ଆଉ ତା’ପରେ…

ଜୟପୁର,୧୩।୧୧: ରାଜସ୍ଥାନର ପାଲି ଜିଲାର ମାରୱାଡ ଜଙ୍କସନ ସବଡିଭିଜନରେ ଏକ ଗାଈ ସହ ଘୃଣ୍ୟ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ଅସାମାଜିକ ବ୍ୟକ୍ତି ଗାଈ ପାଟିରେ ବାଣ ରଖିଦେବାରୁ ତାହା ଫାଟିଯାଇଛି। ଫଳରେ ଗାଈଟି ଗୁରୁତର ଆହତ ହୋଇଛି। ମାମଲାର ସମ୍ବେଦନଶୀଳତା ଦେଖି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋିଛି। ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରକ ପଦାର୍ଥ ଖାଇବା ପରେ ଗାଈର ପାଟି ସମ୍ପୂର୍ଣ୍ଣ ଭାବେ ଫାଟି ଲହୁଲୁହାଣ ହୋଇଯାଇଥିଲା। ସୂଚନା ପାଇବା ମାତ୍ରେ ମାରୱାଡ ଜଙ୍କସନର ଗୋ ପୁତ୍ର ସେନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଗାଈକୁ ବଜରଙ୍ଗ ଦଳର ପଶୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ଗାଈକୁ ଜାଡନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଗୋ ପୁତ୍ର ସେନା, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଗୋ ପୁତ୍ର ସେନା କର୍ମଚାରୀମାନେ ସିରିୟାରୀ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଅଧିକାରୀ ସୁରେଶ ଶରଣ କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଦୋଷୀକୁ ଶୀଘ୍ର ଗିରଫ କରାଯିବ।

Share