ଦୁର୍ଦ୍ଦଶା ଭୋଗୁଛନ୍ତି ୩ଗାଁର ଲୋକେ

ରୂପସା, ୪ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ନଟାକଟା ପଞ୍ଚାୟତର ଅମର୍ଦ୍ଦାରୋଡ଼ ରେଳପଥ କଡ଼ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ବେଲା, ଖଣ୍ଡପସା ଓ ପଞ୍ଚବାଟିଆ ଗ୍ରାମର ୩ହଜାର ଲୋକ ବହୁତ ହଇରାଣ ହେଉଛନ୍ତି।
ସ୍ବାଧୀନତାର ୭୫ବର୍ଷ ପରେ ବି ସ୍ଥାୟୀ ରାସ୍ତା ନ ଥିବାରୁ ଏହି ଗ୍ରାମର ଲୋକମାନେ ରେଳପଥ ରାସ୍ତା ଉପରେ ନିର୍ଭର କରିଥାନ୍ତି। ପଞ୍ଚବାଟିଆ ରେଳଫାଟକଠାରୁ କେବିନ ପର୍ଯ୍ୟନ୍ତ ମାଟି ରାସ୍ତା ଓ କେବିନ ନିକଟରୁ ଅମର୍ଦ୍ଦାରୋଡ ରେଳଷ୍ଟେଶନ ପର୍ଯ୍ୟନ୍ତ ରହିଛି ପିଚୁରାସ୍ତା। ମରାମତି ଅଭାବରୁ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇ ବର୍ଷାଦିନେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ, ଦମକଳ ଗାଡି ଆଦି ଯା’ଆସ କରିବାରେ ବାଧା ଉପୁଜୁଛି। ଉକ୍ତ ରାସ୍ତା ଦେଇ ଗାଡ଼ିରେ ଆସିବା ତ ଦୂରରେ ଥାଉ, ଚାଲିକି ଆସିବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ରେଳମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ହେଁ ଏଯାବତ ସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସରକାର ସବୁଠି ଗମନାଗମନ ସୁବ୍ୟବସ୍ଥା କରୁଥିବା ବେଳେ ଏଠାରେ ପ୍ରଶାସନିକ ଓ ରାଜନୈତିକ ଇଛାଶକ୍ତି ଅଭାବରୁ ଏଥିରେ ବ୍ୟତିକ୍ରମ ଘଟୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ତୁରନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।