
ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗ୍ରାମରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ପ୍ରକଳ୍ପର ୪ଟି ମୋଟରରୁ ୨ ଟି ମୋଟର ପୋଡ଼ିଯାଇଛି। ଫଳରେ ପ୍ରକଳ୍ପର ଓଭର ହେଡ୍ ଟାଙ୍କିକୁ ପାଣି ଉଠୁନାହିଁ। କିଛି ବ୍ୟକ୍ତି ବେଆଇନ ଭାବେ ଘରେ ମୋଟର ଲଗାଇ ପାଣି ନେଉଥିବାରୁ ତଳ ମୁଣ୍ଡରେ ଥିବା ପରିବାର ଲୋକଙ୍କୁ ପାଣି ମିଳୁନି। ପ୍ରତିବାଦରେ ଗୁରୁବାର ଗ୍ରାମର ବହୁ ସଂଖ୍ୟକ ମହିଳା ହାଣ୍ଡି ମାଠିଆ ଧରି ଜଗନ୍ନାଥପୁର ଛକ-ହିଞ୍ଜିଳିକାଟୁ ମୁଖ୍ୟରାସ୍ତାକୁ ପୂର୍ବାହ୍ନ ପ୍ରାୟ ୧୦ଟାରୁୁ ଅପରାହ୍ନ ପ୍ରାୟ ୩ଟା ଯାଏ ୫ ଘଣ୍ଟା ବ୍ୟାପୀ ଅବରୋଧ କରିଥିଲେ। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଥିଲା। ଖବରପାଇ ସାନଖେମୁଣ୍ଡି ବ୍ଲକ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ଉପମା ଘଡେଇ, ପାଟପୁର ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ମହିଳାମାନଙ୍କୁ ଖୁବ୍ଶୀଘ୍ର ପ୍ରକଳ୍ପରୁ ନିୟମିତ ଭାବେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ଏନେଇ ସରପଞ୍ଚ ଜୟନ୍ତୀ ଖୁଣ୍ଟିଆଙ୍କୁ ପଚାରିବାରୁ ଈର୍ଷା ପରାୟଣ ହୋଇ କିଛି ବ୍ୟକ୍ତି ତାଙ୍କୁ ସାଧାରଣରେ ନିନ୍ଦିତ କରିବା ପାଇଁ ଏଭଳି ଲୋକଦେଖାଣିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଲୋକଙ୍କୁ ପାଣି କିଭଳି ନିୟମିତ ମିଳିବ ସେ ଚିନ୍ତା କାହାରିକୁ ନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ କିଛି ବ୍ୟକ୍ତି ସରପଞ୍ଚ ହେବାର ସ୍ବପ୍ନ ଦେଖିଲେଣି ବୋଲି ପୂର୍ବତନ ସରପଞ୍ଚ ରୋହିତ ଖୁଣ୍ଟିଆ କହିଛନ୍ତି।