ଜାଣିଶୁଣି କରୋନା ପଜିଟିଭ ହେବେ ୨,୫୦୦ ଲୋକ!

ଲଣ୍ଡନ,୨୬ ।୧୨: ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ନେଇ ଲଣ୍ଡନରୁ ଏକ ଚ୍ୟାଲେଞ୍ଜ କଲାଭଳି ଖବର ସାମ୍ନାକୁ ଆସିଛି । ସେଠାରେ ଏକ ହ୍ୟୁମାନ ଟ୍ରାଏଲ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଲଣ୍ଡନର ରୟାଲ ଫି ହସ୍ପିଟାଲରେ ଏହି ଚ୍ୟାଲେଞ୍ଜ କରାଯିବ ବୋଲି କୁହାଯାଉଛି । ଏଥିରେ ପ୍ରାୟ ୨,୫୦୦ ବ୍ରିଟିଶ ନାଗରିକ ଜାଣିଶୁଣି କରୋନା ପଜିଟିଭ ହେବେ । ଏହାପରେ ସେମାନଙ୍କୁ ଭ୍ୟାକ୍ସିନ ଦିଆଯିବ । ତେବେ ଭ୍ୟାକ୍ସିନ ପରୀକ୍ଷଣ ଓ ଏହାର ଫଳ ଜାଣିବାକୁ ଏଭଳି କରାଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ଟାଇଫଏଡ, ମେଲେରିଆ, ଫ୍ଲୁ ଆଦି ପାଇଁ ଏଭଳି ପରୀକ୍ଷା କରାଯାଉଥିଲା । ଏବେ କରୋନା ଭ୍ୟାକ୍ସିନକୁ ତୁରନ୍ତ କାମରେ ଲଗାଇବା ପାଇଁ ଏଭଳି କରାଯାଉଛି । ଏହି ଚ୍ୟାଲେଞ୍ଜରେ ଭାଗ ନେଉଥିବା ବ୍ୟକ୍ତିଙ୍କ ବୟସ ୧୮-୩୦ ବର୍ଷ ମଧ୍ୟରେ ହୋଇଥିବ । କାରଣ ଏହି ବୟସର ଲୋକଙ୍କ ମଧ୍ୟରେ କରୋନାରେ ମୃତ୍ୟୁ ହାର କମ୍ ରହିଛି । ଯେଉଁମାନେ ଏହି ଚ୍ୟାଲେଞ୍ଜରେ ଭାଗ ନେବେ ବା ଜାଣିଶୁଣି କରୋନା ପଜିଟିଭ ହେବେ ସେମାନଙ୍କୁ ପାଖାପାଖି ଭାରତୀୟ ମୁଦ୍ରାରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ଭାଗ ନେଉଥିବା କେତେଜଣ ସ୍ୱେଚ୍ଛାସେବୀ କହିଛନ୍ତି ଆମେ ଜାଣିଶୁଣି କରୋନା ପଜିଟିଭ ହେବା ଓ ଭ୍ୟାକ୍ସିନ ନେବା ଦ୍ୱାରା ଯଦି ଏହା ସଫଳ ହେବ ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯିବ । ତେଣୁ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଥିବା ବେଳେ ଏହାକୁ ହାତଛଡା କରିବା ଉଚିତ ନୁହେଁ ବୋଲି ସେମାନେ କୁହନ୍ତି ।

Share