ପ୍ରକୃତିର ଯେତେ ପକ୍ଷୀ ଅଛନ୍ତି ସେମାନଙ୍କ ମଧ୍ୟରେ ମୟୂର ଅତି ସୁନ୍ଦର। କଳାମେଘ ଦେଖି ମୟୂର ପୁଚ୍ଛଟେକି ନାଚିବାକୁ ଅନେକେ ପସନ୍ଦ କରନ୍ତି। ସେହିଭଳି ମୟୂର ଯେତେବେଳେ ରାବଦିଏ ତାହା ମଧ୍ୟ ମନକୁ ଭାରି ଚହଲେଇଦିଏ। ଯଦି ମୟୂରକୁ ନେଇ ଏତେସବୁ କଥା ଘଟେ ତା’ହେଲେ ତାହାକୁ ନେଇ ମାମଲା ହେଲା କାହିଁକି? ପୁଣି କେଉଁଠି ହେଲା? ଘଟଣାଟି ଘଟିଛି କାଲିଫର୍ନିଆର ଅକ୍ଲାଣ୍ଡଠାରେ। ଏବେ ଚାରିଆଡ଼େ କରୋନାର ଭୟ। ସେଥିଲାଗି ଲୋକଙ୍କୁ ଲକ୍ଡାଉନ୍ରେ ରହିବାକୁ ହେଉଛି। ସେଠାରେ ମଧ୍ୟ ସେଇ ସମାନ ପରିସ୍ଥିତି। ଅକ୍ଲାଣ୍ଡର ଏକ କଲୋନୀର ସ୍ଥିତି କିନ୍ତୁ ଭିନ୍ନ। ସେହି କଲୋନୀରେ କିଛି ମୟୂର ବାସ କରନ୍ତି। ପ୍ରାୟ ଚାରିବର୍ଷ ହେବ ମୟୂରଦଳ ସେଠାରେ ରହନ୍ତି ଓ ସେଠାକାର ଲୋକମାନେ ମଧ୍ୟ ସେମାନଙ୍କୁ ଖାଇବା ପିଇବାକୁ ଦିଅନ୍ତି। ଲକ୍ଡାଉନ୍ର ପ୍ରଭାବ ସିନା ଲୋକଙ୍କ ଉପରେ ପଡ଼ିଛି। ହେଲେ ପଶୁପକ୍ଷୀ ସେଥିରୁ ମୁକ୍ତ। ମୟୂରଦଳ ସେଠାରେ ରାବନ୍ତି, ନାଚନ୍ତି, ଏ ଛାତରୁ ସେ ଛାତକୁ ଉଡ଼ିବୁଲନ୍ତି। ଲୋକମାନେ ମଧ୍ୟ ମୟୂରର ନାଚ ଦେଖି ଲକ୍ଡାଉନ୍ର ଏକାନ୍ତକଷ୍ଟକୁ କିଛି ସମୟ ପାଇଁ ଭୁଲି ଯାଆନ୍ତି। ହେଲେ ଖୁବ୍ ଆକସ୍ମିକ ଭାବରେ ଆନିମଲ କଣ୍ଟ୍ରୋଲ କାର୍ଯ୍ୟାଳୟରେ ଯାଇ ଚାରିପାଞ୍ଚଟି ମାମଲା ପହଞ୍ଚତ୍ଲା। ମାମଲାରେ ଲେଖାଥିଲା ଯେ, ମୟୂରଦଳର ଚିତ୍କାରରେ ସେମାନେ ରହିପାରୁ ନାହାନ୍ତି। ରାତିରେ ନିଦ ହେଉନି। ଦିନରେ ବି ଶୋଇ ହେଉନି। ଲକ୍ଡାଉନ୍ ସହିତ ମୟୂରମାନେ ସେମାନଙ୍କର ଜୀବନକୁ ଦୟନୀୟ କରି ସାରିଲେଣି। ଏହି ମାମଲା ପାଇ ଆନିମଲ କଣ୍ଟ୍ରୋଲର କର୍ମକର୍ତ୍ତାମାନେ ଆଶ୍ଚର୍ଯ୍ୟ ହୋଇଯିବା ସହିତ ମୟୂର ଦଳକୁ ସେଠାରୁ ହୁରୁଡ଼େଇବାର ନିଷ୍ପତ୍ତି ନେଇଛନ୍ତି।