Categories: ଜାତୀୟ

‘ସବୁ ଜାତିର ବ୍ୟକ୍ତି ମନ୍ଦିର ପୂଜକ ହୋଇପାରିବେ’

ଚେନ୍ନାଇ, ୨୭ା୬: ମନ୍ଦିର ପୂଜକ ନିଯୁକ୍ତ କରିବାରେ ଜାତିର କୌଣସି ଭୂମିକା ନ ଥିବା ମାଡ୍ରାସ ହାଇକୋର୍ଟ ସୋମବାର କହିଛନ୍ତି। ପୂଜକ ହେବାକୁ ଥିବା ବ୍ୟକ୍ତି ନିର୍ଦ୍ଦିଷ୍ଟ ମନ୍ଦିରର ରୀତିନୀତି ସମ୍ପର୍କରେ ଭଲ ଭାବେ ଜାଣିଥିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଏନ୍‌. ଆନନ୍ଦ ଭେଙ୍କଟେଶ ତାଙ୍କ ରାୟରେ କହିଛନ୍ତି। ପୂଜକ ନିଯୁକ୍ତି ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ପୂଜକ ନିଯୁକ୍ତି ସବୁବେଳେ ଟ୍ରଷ୍ଟି ଉପରେ ଛାଡ଼ିଦିଆଯାଇଥାଏ। ଜଣେ ବ୍ୟକ୍ତି ମନ୍ଦିର ରୀତିନୀତି ଓ ପୂଜାପାଠ ସମ୍ପର୍କରେ ଉପଯୁକ୍ତ ତାଲିମ ନେଇଥିଲେ, ସେ ପୂଜକ ହୋଇପାରିବେ। ସାଲେମସ୍ଥିତ ସୁଗାବନେଶ୍ୱର ମନ୍ଦିରରେ ପୂଜକ ନିଯୁକ୍ତି ଲାଗି ୨୦୧୮ରେ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ମୁଥୁ ସୁବ୍ରମନିଆ ଗୁରୁକ୍କଲ ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ରିଟ୍‌ ପିଟିଶନକୁ କୋର୍ଟ ଖାରଜ କରିଦେବା ସହ ପୂଜକ ନିଯୁକ୍ତି ଲାଗି ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share