କଂଗ୍ରେସ ନୁହେଁ, ଭାରତର ଲୋକମାନେ ଭାଜପାକୁ ଧୂଳି ଚଟାଇବେ: ରାହୁଲ…

ନ୍ୟୁୟର୍କ,୪।୬ : ରାହୁଲ ଗାନ୍ଧୀ ତାଙ୍କର ଆମେରିକା ଗସ୍ତ ସମୟରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଯେ କର୍ନାଟକରେ କଂଗ୍ରେସ ଦଳ ଯେପରି ଭାଜପାକୁ ପରାସ୍ତ କରିଛି, ସେହିଭଳି ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରେ କଂଗ୍ରେସ ଭାଜପାକୁ ପରାସ୍ତ କରିବ। କେବଳ କଂଗ୍ରେସ ଦଳ ନୁହେଁ ଦେଶର ଲୋକ ଭାଜପାର ଘୃଣ୍ୟ ଭାବନାକୁ ପରାସ୍ତ କରିବେ।

ୱାଶିଂଟନ ଏବଂ ସାନ ଫ୍ରାନ୍ସିସ୍କୋ ପରେ ରାହୁଲ ନ୍ୟୁୟର୍କରେ ପହଞ୍ଚିଛନ୍ତି। ଭାରତୀୟ ବିଦେଶ କଂଗ୍ରେସ-ଆମେରିକା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି କର୍ନାଟକରେ ଆମେ ଭାଜପାକୁ ପରାସ୍ତ କରାଯାଇ ପାରିବ ବୋଲି ଦର୍ଶାଇଛୁ। ଆମେ କେବଳ ଭାଜପାକୁ ପରାସ୍ତ କରିନାହୁଁ ବରଂ ଦଳକୁ ଧୂଳି ଚଟାଇଛୁ। କର୍ନାଟକ ନିର୍ବାଚନରେ ଭାଜପା ସମସ୍ତ ପଦକ୍ଷେପ ନେଇଥିଲା। ସେମାନଙ୍କ ପାଖରେ ମିଡିଆ ଥିଲା, ଆମଠାରୁ ୧୦ଗୁଣା ଅଧିକ ଅର୍ଥ ଥିଲା, ଏଜେନ୍ସିର ଅପବ୍ୟବହାର କରାଯାଇଥିଲା କିନ୍ତୁ ତଥାପି ଆମେ ସେମାନଙ୍କୁ ପରାସ୍ତ କରିଥିଲୁ। ମୁଁ କହିବାକୁ ଚାହେଁ ବର୍ତ୍ତମାନ ତେଲେଙ୍ଗାନା ନିର୍ବାଚନରେ ଆମେ ସେମାନଙ୍କୁ ପରାସ୍ତ କରିବୁ।

ତେଲେଙ୍ଗାନାରେ ଭାଜପାକୁ ଲଢ଼ିବା ପାଇଁ କଷ୍ଟକର ହେବ। ଭାରତୀୟ ମୂଳ ସମ୍ପ୍ରଦାୟ ବ୍ୟତୀତ ନ୍ୟୁୟର୍କ ମେୟର ଏରିକ ଆଡାମସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ କହିଛନ୍ତି କେବଳ ତେଲେଙ୍ଗାନାରେ ନୁହେଁ, ମଧ୍ୟପ୍ରଦେଶ, ଛତିଶଗଡର ରାଜସ୍ଥାନରେ ମଧ୍ୟ ଆମେ କର୍ନାଟକ ଭଳି ପ୍ରଦର୍ଶନ କରିବୁ। ଚଳିତ ବର୍ଷ ଶେଷରେ ଭାରତର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ବର୍ଷର ଲୋକସଭା ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି ବିଧାନସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ରାହୁଲ ଗାନ୍ଧୀ କହିଛନ୍ତି କେବଳ କଂଗ୍ରେସ ଦଳ ହିଁ ଭାଜପାକୁ ପରାସ୍ତ କରିବ ନାହିଁ ବରଂ ଭାରତ, ମଧ୍ୟପ୍ରଦେଶର ଲୋକ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଛତିଶଗଡର ଲୋକ ହିଁ ଭାଜପାକୁ ପରାସ୍ତ କରିବେ। ଭାରତ ବୁଝିିପାରିଛି, ଯେଉଁଭଳି ଭାବରେ ଭାଜପା ସମାଜରେ ଘୃଣା ବଢ଼଼ାଉଛି, ଦେଶ ଆଗକୁ ଯାଇପାରିବ ନାହିଁ। ରାହୁଲ ଗାନ୍ଧୀ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ଜିତିବାକୁ ଦାବି କରିଛନ୍ତି। ବିରୋଧୀ ଏକଜୁଟ ହୋଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଏହା ଏକ ଆଦର୍ଶର ଲଢ଼େଇ। ଗୋଟିଏ ପଟେ ଭାଜପାର ବିଭାଜନକାରୀ ଚିନ୍ତାଧାରା ଏବଂ ଅନ୍ୟ ପଟେ କଂଗ୍ରେସର ଏକତା ଏବଂ ପ୍ରେମର ଆଦର୍ଶ।

ରାହୁଲ ଗାନ୍ଧୀ କହିଛନ୍ତି ଭାଜପା କର୍ନାଟକକୁ ମଧ୍ୟ ପୋଲାରାଇଜ କରିବାକୁ ଚେଷ୍ଟା କରିଛି, ପ୍ରଧାନମନ୍ତ୍ରୀ ନିଜେ ଏହା କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ତାହା ହୋଇପାରିଲା ନାହିଁ। ବେକାରୀ, ମୂଲ୍ୟ ବୃଦ୍ଧି ଏବଂ ଦୁର୍ନୀତି ପ୍ରସଙ୍ଗରେ କର୍ନାଟକ ନିର୍ବାଚନ ଲଢ଼େଇ ହୋଇଥିଲା।

Share