ସିନ୍ଧୁ ସଭ୍ୟତା ଲୋକେ ଥିଲେ ମାଂସାହାରୀ

ନୂଆଦିଲ୍ଲୀ/କେମ୍ବ୍ରିଜ୍‌,୧୦।୧୨: ସିନ୍ଧୁ ସଭ୍ୟତା ଲୋକେ ମାଂସାହାରୀ ଥିଲେ। ଏହା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏସମ୍ପର୍କିତ ତଥ୍ୟ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ୍‌ରେ ପ୍ରକାଶିତ ହୋଇଛି। ଏଥିରେ ସିନ୍ଧୁ ସଭ୍ୟତା ଲୋକଙ୍କର ଖାଦ୍ୟପାନୀୟ ବିଷୟରେ କେତେକ ଅଜଣା କଥା ଉଲ୍ଲେଖ କରାଯାଇଛି। ଏଠାକାର ଲୋକେ ମାଂସକୁ ଅଧିକ ପସନ୍ଦ କରୁଥିଲେ। ଏହି ଗବେଷଣା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିଲା। ସିନ୍ଧୁବାସୀମାନେ ଘୁଷୁରି, ମଇଁଷି, ଛେଳି ଆଦି ପ୍ରାଣୀଙ୍କକ ମାଂସକୁ ଖାଦ୍ୟରୂପେ ବ୍ୟବହାର କରୁଥିଲେ। ଉତ୍ତରପ୍ରଦେଶ ଏବଂ ହରିୟାଣା ଆଦି ଉତ୍ତର-ପଶ୍ଚିମ ଭାରତ ଅଞ୍ଚଳରେ ଥିବା ସିନ୍ଧୁ ସଭ୍ୟତାବାସୀମାନେ ଦୁଗ୍ଧ ଜାତୀୟ ପଦାର୍ଥକୁ ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରୁଥିଲେ। ଏହି ସଭ୍ୟତା ପାକିସ୍ତାନ, ଉତ୍ତର-ପଶ୍ଚିମ ଭାରତ ଏବଂ ଆଫଗାନିସ୍ତାନରେ ଅବସ୍ଥିତ ଥିଲା। ଗବେଷଣା ଉତ୍ତରପ୍ରଦେଶ ଏବଂ ହରିୟାଣାର ୫ଟି ଗାଁରେ କରାଯାଇଥିଲା। ସେଥିମଧ୍ୟରେ ଉତ୍ତରପ୍ରଦେଶ ମିରଟର ଆଲମଗିରପୁର, ହରିୟାଣା ହିସାରର ମସୁଦ୍‌ପୁର, ରାଖଗଢି ଏବଂ ଲୋହାରି ରାଘୋ, ଭିଓ୍ବାନିର ଖନକ, ରୋହତକର ଫରମନା ଆଦି ଗାଁରେ ରହିଛି। ସିନ୍ଧୁବାସୀ ଧାନ, ଗହମ, ବାଜରା ଆଦିର ଭିନ୍ନ ଭିନ୍ନ କିସମ ଚାଷ କରୁଥିଲେ। ସେମାନେ ଡାଲି, ବିଭିନ୍ନ ଫଳ, ବାଇଗଣ, କାକୁଡ଼ି, ଅଙ୍ଗୁର ଏବଂ ଖଜୁରୀ ସହିତ ବିଭିନ୍ନ ପନିପରିବା ମଧ୍ୟ ଚାଷ କରୁଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share