ଏହି ବୟସର ଲୋକଙ୍କୁ ‘ଓମିକ୍ରନ’ ଆଶଙ୍କା ବେଶୀ

କେପଟାଉନ୍‌,୨।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଆଣ୍ଟ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ୨୦ରୁ ଅଧିକ ଦେଶରେ ଏହାର ଭାରିଆଣ୍ଟ ଦେଖିବାକୁ ମିଳିଛି। ଏହି ନୂତନ ଭାରିଆଣ୍ଟ ନେଇ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ କହିଛନ୍ତି, ଓମିକ୍ରନ କେତେ ମାରାତ୍ମକ ଏବଂ ଏହା ଲୋକଙ୍କ ଉପରେ କି ପ୍ରଭାବ ପକାଇବ, ଏବେ କହିବା କଷ୍ଟକର। କରୋନାର ନୂତନ ପ୍ରକାର ଏ ପର୍ଯ୍ୟନ୍ତ ଅଧିକାଂଶ ଯୁବକଙ୍କୁ ପ୍ରଭାବିତ କରିଛି। ବୈଜ୍ଞାନିକମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଓମିକ୍ରନ କେବଳ ସାମାନ୍ୟ ରୋଗ ସୃଷ୍ଟି କରିବ କି ନାହିଁ ତାହା ବହୁତ ଶୀଘ୍ର ଜଣାପଡିବ। ଆମେ ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛୁ। ଦୁଇରୁ ତିନି ସପ୍ତାହ ପରେ ଆମେ ଏହା ବିଷୟରେ ଅଧିକ ଜାଣିବା ବୋଲି ବୈଜ୍ଞାନିକମାନେ କହିଛନ୍ତି।
ଦକ୍ଷିଣ ଆଫ୍ରିକାର ଯେଉଁ ରୋଗୀଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଦେଖାଯାଇଛି, ସେମାନେ ସମସ୍ତେ ଯୁବକ। ସେମାନଙ୍କ ବୟସ ୪୦ କିମ୍ବା ତା’ଠାରୁ କମ। ଅନ୍ୟପକ୍ଷରେ, ଏନଆଇସିଡିର ଜନସ୍ବାସ୍ଥ୍ୟ ନୀରିକ୍ଷଣ ତଥା ପ୍ରତିକ୍ରିୟାର ମୁଖ୍ୟ ମିସେଲ ଗ୍ରୋମ କହିଛନ୍ତି ଯେ, ଓମିକ୍ରନ ଭାରିଆଣ୍ଟର ଶିକାର ହୋଇଥିବା ଅଧିକାଂଶ ଲୋକ ଯୁବକ ଅଟନ୍ତି।
୨୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ସରକାର ଏବଂ ବୈଜ୍ଞାନିକମାନେ କରୋନାର ଏକ ନୂତନ ଭାରିଆଣ୍ଟ ଘୋଷଣା କରିଥିଲେ। ଏହା ପରେ ଡବ୍ଲୁଏଚ୍‌ଓ ଏହାର ନାମ ଓମିକ୍ରନ ରଖିଲା। ନୂତନ ଭାରିଆଣ୍ଟ ଚିହ୍ନଟ ପରେ ଆମେରିକା, ୟୁରୋପୀୟ ୟୁନିଅନ, କାନାଡା, ଇସ୍ରାଏଲ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ଦକ୍ଷିଣ ଆଫ୍ରିକାର ଅନେକ ଦେଶରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Share