ବେଜିଂ,୧୨।୩ : ଚାଇନାର ଏକ ସହରରେ ଲକଡାଉନ ଘୋଷଣା ନେଇ ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ଏସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ପ୍ରଦାନ କରାଯାଉଛି। ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଇବା ପରେ ଚାଇନାର ଶାନସି ପ୍ରଦେଶର ସିୟାନ ସହରର କର୍ତ୍ତୃପକ୍ଷ ଜରୁରୀକାଳୀନ ମାର୍ଗଦର୍ଶିକା ଘୋଷଣା କରିଛନ୍ତି।
ଏହା ଅନ୍ତର୍ଗତ ଫ୍ଲୁ ସମସ୍ୟାରେ ଅବସ୍ଥା ଗୁରୁତର ଥିବାବେଳେ ବଜାର, ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରିବାକୁ କୁହାଯାଇଥିଲା। ଜରୁରୀକାଳୀନ ପ୍ରତିକ୍ରିୟା ଯୋଜନାରେ ଚାରୋଟି ସ୍ତର ଅଛି, ଯେଉଁଥିରେ ଶେଷ ସ୍ତର ଲକଡାଉନ ଅଟେ।
ଲକଡାଉନ ଆଶଙ୍କା ଦେଖି ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏହି ଯୋଜନାକୁ ତୀବ୍ର ବିରୋଧ କରାଯାଇଛି। ୟୁଜରମାନେ କହିଛନ୍ତି ଯେ ଏହି ଯୋଜନା କରୋନା ଅବଧିରେ ଦେଶରେ ତିନି ବର୍ଷ ପାଇଁ ଲାଗୁ ହୋଇଥିବା ଶୂନ-କୋଭିଡ ନୀତି ସହିତ ସମାନ। ଏହି ନୀତି ଯୋଗୁଁ ଚାଇନା ସମଗ୍ର ବିଶ୍ୱରେ ସମାଲୋଚନାର ସମ୍ମୁଖୀନ ହୋଇଛି।
ରିପୋର୍ଟ ଅନୁଯାୟୀ ଚାଇନାରେ ଫ୍ଲୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପୁଛି। ଏହି କାରଣରୁ ଔଷଧ ଦୋକାନରେ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଖାଦେଇଛି।