କଂଗ୍ରେସଠାରୁ ଲୋକେ କେବଳ ମିଛର ଗ୍ୟାରେଣ୍ଟି ପାଇଥାଆନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬ା୯ (ଅନୁରାଧା ମହାରଣା): ହରିୟାଣାର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରି ପୁଣି ଥରେ କୃଷକଙ୍କ ଜମି ଦଖଲ କରିବା, ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଏବଂ ଯୁବକମାନଙ୍କୁ ସେହି ପୁରୁଣା ସ୍ଥିତାବସ୍ଥାକୁ ଫେରାଇ ଆଣିବା ହେଉଛି କଂଗ୍ରେସର ମୂଳ ରାଜନୈତିକ ଉଦ୍ଦେଶ୍ୟ। କଂଗ୍ରେସଠାରୁ ଜନତା କେବଳ ମିଛର ଗ୍ୟାରେଣ୍ଟି ପାଇଥା’ନ୍ତି ବୋଲି ହରିୟାଣାର ଭାଜପା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି।
ପ୍ରଚାର ପାଇଁ ହରିୟାଣା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କର୍‌ନାଲରେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ, ହରିୟାଣାରେ ଭାଜପା ବିଜୟର ହ୍ୟାଟ୍ରିକ କରିବାକୁ ଯାଉଛି। ବିଗତ ୧୦ ବର୍ଷରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଭାଜପା ନିରନ୍ତର ହରିୟାଣାର ସେବା କରିଆସୁଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ନେଉଛନ୍ତି । କୃଷକମାନଙ୍କୁ ସମସ୍ତ କୃଷି ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଗ୍ୟାରେଣ୍ଟି ଦେବାରେ ହରିୟାଣା ହେଉଛି ପ୍ରଥମ ରାଜ୍ୟ। ଭାଜପା ସରକାରରେ ଏହି ରାଜ୍ୟରେ ଯୁବବର୍ଗଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି। ଗୋଟିଏପଟେ ସୈନୀ ସରକାର ଚାଷୀଙ୍କ ସ୍ବାର୍ଥ ପାଇଁ ଚିନ୍ତା କରୁଥିବାବେଳେ ଅନ୍ୟପକ୍ଷରେ କଂଗ୍ରେସର ବାପପୁଅଙ୍କ ଶାସନରେ ଚାଷୀଙ୍କ ଚାଷଜମି ଦଖଲ ଯୋଜନା ହୋଇଛି। ଯେଉଁମାନେ ଏମ୍‌ଏସ୍‌ପି ନାଁରେ ଚାଷୀଙ୍କୁ ଠକିଥା’ନ୍ତି ସେମାନେ କେବେ ବି ନିଜ ସରକାରରେ ଗ୍ୟାରେଣ୍ଟି ପୂରଣ କରନ୍ତି ନାହିଁ। କଂଗ୍ରେସଠାରୁ ଜନତା କେବଳ ମିଛର ଗ୍ୟାରେଣ୍ଟି ପାଇଥା’ନ୍ତି ।
ହରିୟାଣାର ସଚେତନ ଓ ସ୍ବାଭିମାନୀ ଲୋକମାନେ କଂଗ୍ରେସର ହରିୟାଣା ବିରୋଧୀ ଓ ଜନବିରୋଧୀ ମାନସିକତାକୁ ଭଲ ଭାବରେ ବୁଝିଛନ୍ତି। ସେଥିପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଜନତା କଂଗ୍ରେସ ଏବଂ ବାପପୁଅଙ୍କୁ ହରାଇ ସେମାନଙ୍କୁ ଏକ ଶିକ୍ଷା ଦେବାକୁ ଯାଉଛନ୍ତି। ହରିୟାଣାର ଭାଜପାର ଡବଲ ଇଞ୍ଜିନ ସରକାର କୃଷକ, ମହିଳା, ଦଳିତ, ବଞ୍ଚିତ ଏବଂ ଯୁବବର୍ଗଙ୍କ ନିରବଚ୍ଛିନ୍ନ ବିକାଶ କରି ବିକଶିତ ହରିୟାଣା ଗଠନ କରିବା କାମରେ ଲାଗିଥିବା ଧର୍ମେନ୍ଦ୍ର କହିଛନ୍ତି।

Share