Advertisement
Categories: ଜାତୀୟ

ଜଳ ସଙ୍କଟରେ ଜୁଝୁଛନ୍ତି ଆଗ୍ରାବାସୀ: ୪ଟଙ୍କାରେ ମିଳୁଛି ବାଲଟିଏ ପାଣି

ଆଗ୍ରା,୨୯।୪: ଆଗ୍ରାରେ ଭୀଷଣ ଖରା ଯୋଗୁ ଲୋକେ ବେହାଲ ହୋଇପଡ଼ିଥିବା ବେଳେ   ଅନ୍ୟପଟେ ଜଳ ସଙ୍କଟ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ବହୁ ଅଞ୍ଚଳରେ ଲୋକମାନେ ପାଣି ଟ୍ୟାଙ୍କରରୁ ପାଣି କିଣିବାକୁ ପଡ଼ୁଛି। ଗୋଟିଏ ବାଲଟି ପିଛା ୪ ଟଙ୍କା ନେଉଥିବା ବେଳେ ଗୋଟେ ଡ୍ରମ ପାଇଁ ୩୦ରୁ ୩୫ ଟଙ୍କା ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଯେଉଁଠାରେ ପାଣି ସପ୍ଲାଇ ହେଉଛି ସେଠାରେ ଖରାରେ ଲୋକମାନେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବେଳେ ବେଳେ ଟାଣ ଖରାରେ ଲମ୍ବା ଲାଇନ ଲଗାଇଥିଲେ ମଧ୍ୟ ପାଣି ମିଳିବା କଷ୍ଟକର ହୋଇପଡ଼ୁଛି। ଏମାନଙ୍କ ପାଇଁ କେବଳ ପାଣି ଟ୍ୟାଙ୍କର ହିଁ ଏବେ ସାହା ଭରଷା ହୋଇପଡ଼ିଛି। ହେଲେ ଏହାର ଭରପୁର ଫାଇଦା ଉଠାଉଛନ୍ତି ଟ୍ୟାଙ୍କର ମାଲିକ। ମନ ମୁତାବକ ପାଣି ଦେବା ସହ ମନ ଇଛା ସମୟରେ ଆସୁଥିବା ଅଭିଯୋଗ ହୋଇଛି। ଆଗ୍ରାର ଟେଡି ବଗିଆରେ ପାଇପ୍‌ ଲାଇନ ବିଛା ହେବାର ୧୦ ବର୍ଷ ପରେ ବି ଏବେ ପର୍ଯ୍ୟନ୍ତ ପାଣି ଆସିପାରି ନାହିଁ। ଏନେଇ ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ଲାଭ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଅପରପକ୍ଷରେ କିଛି କିଛି ସ୍ଥାନରେ ହ୍ୟାଣ୍ଡପମ୍ପ ଥିବା ବେଳେ ସେଗୁଡିକ ମଧ୍ୟ ଖରାପ ହୋଇଯାଇଛି। ଅନ୍ୟ ଋତୁରେ ଯେକୌଣସି ଭାବେ ଚଳିଯାଉଥିବା ବେଳେ କିନ୍ତୁ ଗ୍ରୀଷ୍ମ ଦିନେ ଗ୍ରାମବାସୀ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଜଳସେଚନ ବିଭାଗ  ନିଜ ସଫେଇରେ କହିଛନ୍ତି ଅନ୍ୟ ଏଜେନ୍ସି ଏହି ପାଇପ୍‌ ଲାଇନ ବିଛାଇଥିବା ବେଳେ ତାଙ୍କୁ ହସ୍ତାନ୍ତର କରିନାହିଁ। ଫଳରେ ଏହା କାର୍ଯ୍ୟକ୍ଷମ ହେବା ପାଇଁ ବିଳମ୍ବ ହେଉଥିବା ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share