Categories: ଜାତୀୟ

ପ୍ରେମିକାଙ୍କୁ ଦୁର୍ବବ୍ୟହାର କରିବାକୁ ନେଇ ଏଭଳି ଚରମ ପଦକ୍ଷେପ ନେଲେ ବଡ଼ଭାଇ: ମାଟି ଉପରକୁ ହାତ ବାହାରିବା ପରେ ଫିଟିଲା ଗୁମର

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦୁର୍ବ୍ୟବହାର କରିବାକୁ ନେଇ ବଡ଼ଭାଇ ସାନଭାଇଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ଟେଲିଭିଜନରୁ କ୍ରାଇମ୍‌ ଶୋ’ ଦେଖି ସେ ହତ୍ୟାକାଣ୍ଡର ଯୋଜନା କରିଥିଲେ। ପରେ ସେ ଭାଇଙ୍କୁ ହତ୍ୟାକରି ମାଟି ଖୋଳି ପୋତି ଦେଇଥିଲେ। ଘଟଣା ବିଷୟରେ ପୋଲିସ ଜାଣିବା ପରେ ଚକିତ ହୋଇଯାଇଛି। ୧୨ ଦିନ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରୁ ଏବେ ପରଦା ଉଠିଛି।

ଦୁର୍ଗାପୁରରେ ରହୁଥିବା ରାମଟେକେଙ୍କ ଘର ପାଖରେ ଥିବା ଏକ ପରିତ୍ୟକ୍ତ ଚାଳଘରୁ ପ୍ରଥମେ ଦୁର୍ଗନ୍ଧ ଆସିଥିଲା। ସେଠାରେ ପହଞ୍ଚିବା ପରେ ଲୋକମାନେ ମାଟିରୁ ହାତ ବାହାରିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ସ୍ଥାନକୁ ଖୋଳିଥିଲା। ସେଠାରୁ ନିଖୋଜ ଅନିକେତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯାଞ୍ଚ କରିବା ସମୟରେ ଅନିକେତଙ୍କ ବଡ଼ ଭାଇ ଅଙ୍କିତ ଫେରାର ଥିବା ଜାଣିବାକୁ ପାଇଥିଲା। ପୋଲିସ ସନ୍ଦେହ କରି ପରିବାରଲୋକଙ୍କୁ ପଚରାଉଚରା କରିଥିଲା। ସେଠାରେ ଅନିକେତ ଗାଁରୁ ବାହାରକୁ ଯାଇଥିବା ନେଇ ଅଙ୍କିତ ମା’ଙ୍କୁ କହିଥିବା ଜଣାପଡ଼ିଥିଲା। ପୋଲିସ ଧରପଗଡ଼ କରି ଅଙ୍କିତଙ୍କୁ ଅଟକ ରଖିଥିଲା। ପରେ ପଚରାଉଚରା କରାଯିବା ପରେ ସେ ଧାରାବାହିକ ଦେଖି ଭାଇଙ୍କ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବିକାର କରିଥିଲେ। ପ୍ରେମିକାଙ୍କୁ ଖରାପ ବ୍ୟବହାର କରିଥିବାରୁ ସେ ଏଭଳି କାଣ୍ଡ ଭିଆଇଥିବା କହିଥିଲେ।

ପ୍ରଥମେ ସେ ପରିତ୍ୟକ୍ତ କୁଡ଼ିଆକୁ ତାଙ୍କୁ ଡାକି ମଦ ପିଆଇଥିଲେ। ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ତାଙ୍କ ଆସବାବପତ୍ର ପୋତି ଦେଇଥିଲେ। ମୃତଦେହ ଶିଘ୍ର ସଢ଼ିଯିବା ପାଇଁ ୟୁରିଆ ଦେବା ସହ କୁକୁରକୁ ମାରି ସେଠାରେ ପକାଇ ଦେଇଥିଲେ। ହେଲେ ଉକ୍ତ ଗ୍ରାମରେ ବର୍ଷା ଲାଗି ରହିବା ଫଳରେ ମାଟି ଧୋଇଯାଇ ମୃତଦେହର ହାତ ବାହାରକୁ ଦେଖାଯାଇଥିଲା। ପରେ ଘଟଣା ଲୋକଲୋଚନକୁ ଆସିଯାଇଥିଲା। ଏବେ ପୋଲିସ ଅଭିଯୁକ୍ତ ଅଙ୍କିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Share