ପିଲାଙ୍କ ପଢ଼ା ବହି ବିକ୍ରିକୁ ଅଟକାଇଲେ ଲୋକେ

ନୂଆଗଁା, ୮ା୭ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗଁା ବ୍ଲକ ସରକାରୀ କାଚପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ଶିକ୍ଷୟିତ୍ରୀ ପିଲାଙ୍କ ପଢ଼ା ବହି ବିକ୍ରି କରୁଥିଲେ। ବେପାରୀ ବହି ବସ୍ତା ଗେଟ୍‌ ବାହାରକୁ ଆଣି ଗାଡ଼ିରେ ଲଦିବା ସମୟରେ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ବେପାରୀକୁ ଅଟକାଇ ନୂଆଗଁା ଅତିରିକ୍ତ ଶିକ୍ଷାଧିକାର ଓ ସିଆରସିସିଙ୍କୁ ଡ଼ାକି ଦେଖାଇ ଥିଲେ। ଶେଷରେ ବହି ବିକ୍ରି ନ ହୋଇ ପୁଣି ସ୍କୁଲକୁ ନିଆଯାଇଥିଲା।
ନୟାଗଡ ଜିଲାର ବିଭିନ୍ନ ସ୍କୁଲରେ ବହି ବିକ୍ରି ଘଟଣା ଥମିବାର ନଁା ଧରୁନି। ବହି ବିକ୍ରି ଘଟଣାରେ ବହି କିଣୁଥିବା ବ୍ୟକ୍ତି ଓ ବହି ବିକ୍ରି କରୁଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିଲେ ମଧ୍ୟ ବହି ବିକ୍ରି ଘଟଣା ବନ୍ଦ ହେଉନି। ବେପାରୀମାନଙ୍କୁ ଡାକି ନିର୍ଭୟରେ ସ୍କୁଲରୁ ପିଲାଙ୍କ ପଢ଼ା ବହି ବିକ୍ରି କରାଯାଉଛି। ଏପରି ଅଭିଯୋଗ ଆସିଛି ନୂଆଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା କାଚପଲ୍ଲୀ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ। ପୂର୍ବାହ୍ନ ୧୧ଟାରେ ପିଲାଙ୍କୁ ପାଠ ପଢ଼ାଇବା ଛାଡ଼ି ଆଲମାରିରୁ ବହି ସବୁ ବାହାର କରି ଶିକ୍ଷୟିତ୍ରୀ ବେପାରୀଙ୍କୁ ଦେବାରୁ ସେ ଓଜନ କରି ବସ୍ତାରେ ଭର୍ତ୍ତି କରିବା ପରେ ଗାଡ଼ିରେ ଲୋଡ କରିବାକୁ ଆଣିବା ବେଳେ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ହାବୁଡ଼ରେ ପଡ଼ଇଥିଲେ। ଏ ସମସ୍ତ ଘଟଣା ମୋବାଇଲରେ କଏଦ୍‌ ହୋଇଛି। ବେପାରୀ ଜଣକ କେଜି ପ୍ରତି ୧୨ଟଙ୍କା ହିସାବରେ ମୋଟ ୫୦ କେଜି ବହି କିଣିଥିବା କହିଛନ୍ତି। ବସ୍ତା ଖୋଲି ଦେଖିବାରେ ସେଥିରେ ପ୍ରାୟ ୫୦ ଖଣ୍ଡ ନୂଆ ବହି ସହ କିଛି ଅଫିସ କାଗଜ ପତ୍ର, ପ୍ରଶ୍ନପତ୍ର ରହିଥିବା ଦେଖିବାକୁ ମିଳିଛି। ସେସବୁ ଅଦରକାରୀ ବହି ବହୁ ଦିନରୁ ପଡ଼ି ରହିଥିବାରୁ ବିକ୍ରି କରି ଦେଲୁ ବୋଲି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପ୍ରଧାନ କହିଛନ୍ତି। ଏ ସମ୍ପର୍କରେ ନୂଆଗଁା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀଙ୍କୁ ଜଣାଇବାରେ ସେ ଘଟଣାସ୍ଥଳକୁ ଆସି ବିକ୍ରି ହୋଇଥିବା ବହି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବିକ୍ରି ପାଇଁ ରେଜୁଲେଶନ ହୋଇଥିବା କଥା ପ୍ରଧାନଶିକ୍ଷୟିତ୍ରୀ ଏବିଇଓ ସେଠୀଙ୍କୁ କହିଥିଲେ। ହେଲେ ରେଜୁଲେଶନରେ ବହି ବିକ୍ରି ବାବଦରେ କିଛି ଲେଖା ଯାଇ ନ ଥିବା ଜଣାପଡ଼ିଥିଲା। ଉପସ୍ଥାନ ଅନୁସାରେ ଛାତ୍ରୀଛାତ୍ରମାନଙ୍କ ପାଇଁ ବହି ଆସୁଥିବା ବେଳେ ବହି କେମିତି ବଳକା ରହୁଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଖବରପାଇ ସିଆରସିସି କୌଳାସ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ତେବେ ଏବିଇଓ ସେଠୀଙ୍କ ନିର୍ଦ୍ଦେଶ ଅନୁସାରେ ବିକ୍ରି ହୋଇଥିବା ସମସ୍ତ ବହି ସ୍କୁଲରେ ରଖାଯାଇଛି। ସମ୍ପକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।