ରାଇସ ମିଲ୍‌ ଘେରିଲେ ଉତ୍ତ୍ୟେକ୍ତ ଲୋକେ: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ପାଟଣା,୨୭।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ୍‌ ମିଲ୍‌ ଗେଟ୍‌ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ବିଭିନ୍ନ ଦାବିରେ ଘେରାଉ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦାବିକୁ ରାଇସ୍‌ ମିଲସ୍‌ କର୍ତ୍ତୃପକ୍ଷ ପୂରଣ ନ କଲେ ଆଗାମୀ ଦିନରେ ରାଇସ ମିଲ୍‌ ଗେଟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏମାନଙ୍କ ପ୍ରମୁଖ ଦାବି ମଧ୍ୟରେ ମିଲସର ବର୍ଜ୍ୟବସ୍ତୁ ଓ ଚାଷ ଜମି ଓ କାଜୁ ଫିଲ୍ଡକୁ ମାଡ଼ି ଯିବାରୁ ଚାଷ ଓ କାଜୁ ଗଛ ଶୁଖି ଯାଉଛି। ଦୂଷିତ ପାଣି ବିଭିନ୍ନ ସ୍ଥାନରେ ଜମା ହୋଇ ରହୁଥିବାରୁ ସେ ପାଣି ପିଇ ଶତାଧିକ ଗୋରୁ, ଛେଳି, ମୃତ୍ୟୁବରଣ କଲେଣି। ଦୁର୍ଗନ୍ଧ ପାଣି ଘର ନିକଟରେ ବୋହୁ ଥିବାରୁ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଜଣେ ବୃଦ୍ଧାଙ୍କ ଜମିକୁ ରାଇସ ମିଲ୍ସ ମାଲିକ ଜବଦଖଲ କରି ରଖିବା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଲୋକେ ରାଇସ ମିଲ୍ସ ଘେରିଥିଲେ। ଏନେଇ ରାଇସ ମିଲ୍ସ ମ୍ୟାନେଜର କେଶବ ସ୍ବାଇଁଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ସେ ପ୍ରଥମେ ତାଙ୍କ ସିକ୍ୟୁରିଟିଙ୍କୁ ରିପୋର୍ଟରମାନେ ଅପେକ୍ଷା କରନ୍ତୁ ବୋଲି କହି ପରେ ପଳାଇଥିଲେ।