ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ଘେରିଲେ ଲୋକେ

ପାଣିକୋଇଲି,୪।୧୧(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ସମ୍ପ୍ରସାରଣରେ ବିଭାଗୀୟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହୋଇଛି। ଏହିକ୍ରମରେ ବୁଧବାର ଏନ୍‌ଏଚ୍‌ର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଥିବା ଡାଇଭର୍ସନକୁ କମ୍ପାନୀ ପକ୍ଷରୁ କଂକ୍ରିଟ ୱାଲ ଦେଇ ବନ୍ଦ କରୁଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ବିରୋଧ କରିବା ସହ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଘେରିଥିଲେ। ସେଠାରେ ଗଳିପୋଲ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡାଇଭର୍ସନ ବନ୍ଦ ନ କରିବା ଲାଗି ଦାବି କରିଥିଲେ।
ସୂଚନାଯୋଗ୍ୟ, ଗୋଟିଏ ପାର୍ଶ୍ୱରେ କାଙ୍କଲାପାଟଣା ଗ୍ରାମ ଥିବାବେଳେ ଅପରପାର୍ଶ୍ୱରେ ଦାମୋଦରପୁର ଗ୍ରାମ ରହିଛି। ଗ୍ରାମ ବାସିନ୍ଦାଙ୍କ ଚାଷ ଜମି ଉଭୟ ପାର୍ଶ୍ୱରେ ଥିବାବେଳେ ପ୍ରତିଦିନ ଛାତ୍ରୀଛାତ୍ର ରାସ୍ତା ପାର ହୋଇ ସ୍କୁଲ କଲେଜକୁ ଯାଇଥାନ୍ତି। ରାଜପଥ ସମ୍ପ୍ରସାରଣ ନିମନ୍ତେ ସର୍ଭେ ଚାଲିଥିବା ବେଳେ ଉଭୟ ଗ୍ରାମର ଲୋକେ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଓ ଯାଜପୁର ଜିଲାପାଳଙ୍କୁ ଭେଟି ଏକ ଗଳିପୋଲ ନିର୍ମାଣ କରିବା ଲାଗି ଦାବି କରିଥିଲେ। ମାତ୍ର ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଇ ରାସ୍ତା କାମ ସମ୍ପୂର୍ଣ୍ଣ କରିଥିଲେ। ଫଳରେ ଲୋକେ ଉଭୟ ରାସ୍ତାର ମଝିରେ ଥିବା ଏକ ଡାଇଭର୍ସନ ମାଧ୍ୟମରେ ଯିବା ଆସିବା କରୁଛନ୍ତି। ସେହି ଡାଇଭର୍ସନକୁ ଏବେ ବନ୍ଦ କରିବା ଲାଗି ଉଦ୍ୟମ କରାଯାଇଛି। ଉଭୟ ଗ୍ରାମର ଲୋକଙ୍କ ସମେତ ଜିଲା ପରିଷଦ ସଭ୍ୟ ଧରଣୀଧର ଘଡ଼ାଇ, ସୂର୍ଯ୍ୟମଣି ପଣ୍ଡା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଭାଗ୍ୟଧର ରାୟ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଜିତ ବେହେରା, ସରୋଜ ସାହୁ, ବଟକୃଷ୍ଣ ଦାଶ, ରନତ୍ାକର ସେନାପତି, ମଧୁସୁଦନ ସ୍ବାଇଁ, ପ୍ରଦୀପ ବିଶ୍ୱାଳ, ଅଶୋକ ଲେଙ୍କା ପ୍ରମୁଖ ପହଞ୍ଚତ୍ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ। ଗଳିପୋଲ ନିର୍ମାଣ ନ ହେଲା ପର୍ଯ୍ୟନ୍ତ ଉକ୍ତ ଡାଇଭର୍ସନ ବନ୍ଦ କରାଯିବ ନାହିଁ ହୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Share