ନିଶ୍ଚିନ୍ତକୋଇଲି,୬ା୩(ଅଶୋକ ମହାପାତ୍ର): ଦାଦନ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରତିବାଦରେ ଗୁରୁବାର ବହୁ ମହିଳା ଓ ପୁରୁଷ ନିଶ୍ଚିନ୍ତକୋଇଲି ଥାନା ଘେରାଉ କରିଥିବାର ଜଣାଯାଇଛି। ନିଶ୍ଚିନ୍ତକୋଇଲି ଗ୍ରାମର ରବୀନ୍ଦ୍ର ଦାସଙ୍କ ସାନ ପୁଅ ସନ୍ତୋଷ କୁମାର ଦାସ(୨୪)ଙ୍କୁ ଦାଦନ ଶ୍ରମିକ ରୂପେ ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ବିଶାଖାପାଟଣା ନେଇଯାଇଥିଲେ। ଇତି ମଧ୍ୟରେ ଏକ ମାସ ଅତିକ୍ରାନ୍ତ ହେବାକୁ ବସିଲାଣି ନିଖୋଜ ସନ୍ତୋଷର କୌଣସି ପତ୍ତା ମିଳୁନି। ଏ ସମ୍ପର୍କରେ ନିଖୋଜ ସନ୍ତୋଷଙ୍କ ପିତା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଅଭିଯୋଗ ପରେ ନାମକୁମାତ୍ର ନିଖୋଜ ମାମଲା ରୁଜୁ କରି ଚୁପ୍ ହୋଇ ବସିଛି। ପୋଲିସ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ଆଜି ନିଶ୍ଚିନ୍ତକୋଇଲି ଥାନା ସମ୍ମୁଖରେ ବହୁ ଲୋକ ଧାରଣା ଦେବା ସହ ଥାନା ଘେରାଉ କରିଥିବାର ଜଣାଯାଇଛି।