ନୂଆଦିଲ୍ଲୀ,୨୯।୩ : ଘୃଣା ଭାଷଣ ପ୍ରଦାନ କରୁଥିବା ଉପାଦାନଗୁଡିକ ଉପରେ ସୁପ୍ରିମକୋର୍ଟ ଦୃଢ଼ ଆପତ୍ତି ଉଠାଇଛନ୍ତି। ଲୋକମାନେ କାହିଁକି ନିଜକୁ ନିୟନ୍ତ୍ରଣ କରୁନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର ଉଦାହରଣ କୋର୍ଟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି, ସେମାନଙ୍କର ଭାଷଣ ଶୁଣିବା ପାଇଁ ଲୋକମାନେ ଦୂର ସ୍ଥାନରୁ ଆସି ଏକାଠି ହେଊଥିଲେ। ମାତ୍ର ଏବେ ଘୃଣା ଭାଷଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।
ସୁପ୍ରିମକୋର୍ଟ ପଚାରିଛନ୍ତି କାହିଁକି ଭାରତର ଲୋକମାନେ ଅନ୍ୟ ନାଗରିକ କିମ୍ବା ସମ୍ପ୍ରଦାୟକୁ ଅପମାନ ନକରିବାକୁ ପ୍ରତିଶ୍ରୁତି ଦେଇ ପାରିବେ ନାହିଁ? ଅନ୍ୟମାନଙ୍କୁ ବଦନାମ କରିବା ପାଇଁ ପ୍ରତିଦିନ ଏହିପରି ଉପାଦାନଗୁଡ଼ିକ ଟିଭି ଏବଂ ସର୍ବସାଧାରଣ ଫୋରମରେ ବିବୃତ୍ତି ଦେଉଛନ୍ତି । ଯେଉଁ ମୁହୂର୍ତ୍ତରେ ରାଜନୀତି ଏବଂ ଧର୍ମ ଅଲଗା ହୋଇଯାଏ ତଥା ନେତାମାନେ ରାଜନୀତିରେ ଧର୍ମ ବ୍ୟବହାର ବନ୍ଦ କରନ୍ତି, ସେତେବେଳେ ଘୃଣା ଭାଷଣ ଶେଷ ହେବ ।
ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ପ୍ରଶ୍ନ କରିଛନ୍ତି, କୋର୍ଟ କେତେ ଜଣଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିପାରିବେ। ଘୃଣା ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍ ପଞ୍ଜିକରଣ କରିବାରେ ବିଫଳ ହୋଇଥିବାରୁ ବିଭିନ୍ନ ରାଜ୍ୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅବମାନନା ଆବେଦନ ଶୁଣାଣି ବେଳେ ବେଞ୍ଚ କହିଛନ୍ତି. ପ୍ରତିଦିନ ଟିଭି ତଥା ସର୍ବସାଧାରଣ ଫୋରମରେ ଅନ୍ୟମାନଙ୍କୁ ବଦନାମ କରିବା ପାଇଁ ଆଇନ ପ୍ରତି ଭୟ ନ କରି ଉପାଦାନମାନେ ଭାଷଣ ଦେଉଛନ୍ତି।
ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କେରଳର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଅପମାନଜନକ ଭାଷଣ ଉପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଛନ୍ତି ଯେ ଦେଶରେ ଘୃଣା ଭାଷଣର ଘଟଣାକୁ ଆବେଦନକାରୀ ଶାହିନ ଅବଦୁଲ୍ଲା ସୂଚିିତ କରିଛନ୍ତି।