ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏସବୁ ସତ୍ତ୍ୱେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଖରେ କିଛି ସପ୍ତାହ ପରେ ପୁଣି ଲକ୍ଷଣ ଦେଖାଯାଉଛି। ଜାମା ଜର୍ନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏଭଳି ନିଷ୍କର୍ସ ବାହାରିଛି।
ଇଟାଲୀର ୧୪୩ କରୋନା ସଂକ୍ରମିତଙ୍କ ଉପରେ ଏହି ରିସର୍ଚ୍ଚ(ଅନୁସନ୍ଧାନ) କରାଯାଇଥିଲା। ରୋମ ହସ୍ପିଟାଲର ଜଣେ ଡାକ୍ତର ଏଞ୍ଜେଲୋ କାର୍ଫି ଏହାର ନେତୃତ୍ୱ ନେଇଥିଲେ। ତେବେ କରୋନା ସଂକ୍ରମିତମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କଠାରେ ରୋଗ ଆରମ୍ଭ ହେବାର ୨ ମାସ ପରେ ମଧ୍ୟ କିଛି ଲକ୍ଷଣ ମିଳିଥିଲା। ସେମାନଙ୍କୁ ଥକ୍କା ଲାଗିବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା, ଆଣ୍ଠୁଗଣ୍ଠିରେ ବ୍ୟଥା ଆଦି ହେଉଥିଲା।
ସେହିଭଳି ଡେଲି ମେଲ୍ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ରିସର୍ଚ୍ଚରୁ ଜଣାପଡ଼ିଛି ରୋଗ ହେବାର ପାଖାପାଖି ୬୦ ଦିନ ପରେ ମାତ୍ର ୧୨.୬% ଲୋକ କରୋନା ଲକ୍ଷଣରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରୁଛନ୍ତି।
ଏହାପୂର୍ବରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, କରୋନାରେ ସ୍ବାଦ ଜାଣିବା ଏବଂ ଶୁଙ୍ଘିବା ଶକ୍ତି ଚାଲିଯାଇଥାଏ। ଏଥିରେ ୧୦% ରୋଗୀଙ୍କ ପାଖରେ ଏକ ମାସ ପରେ ଲକ୍ଷଣ ଦେଖାଯାଇ ନ ଥାଏ। ହେଲେ ଇଟାଲୀରେ କରାଯାଇଥିବା ଅଧ୍ୟୟନରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ପ୍ରାୟ ୫୫% ଲୋକଙ୍କ ନିକଟରେ ଦୁଇ ମାସ ପରେ ପରେ ମଧ୍ୟ ତିନିରୁ ଅଧିକ ଲକ୍ଷଣ ପ୍ରକାଶ ପାଉଛି। ୩୨% ରୋଗୀଙ୍କ ପାଖରେ ଗୋଟିଏରୁ ଦୁଇଟି ଲକ୍ଷଣ ରହିଛି। ସେହିଭଳି ୪୩%ଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜୁଥିଲା। କରୋନା ନେଗେଟିଭ୍ ଘୋଷଣା ହେବା ପରେ ମଧ୍ୟ ଏଭଳି ହେଉଥିବା ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।