ରାଜଧାନୀରେ ବେକାବୁ ହେଉଛି କରୋନା: ପ୍ରତିଦିନ ଟିକା ନ ନେଇଥିବା ଲୋକଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୧ ।୨: ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ କମ୍ ହୋଇଛି । ହେଲେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ କମ୍ ହେବାର ନାଁ ନେଉନି । ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ଯେଉଁମାନେ ଭ୍ୟାକ୍ସିନ ନ ନେଇଛନ୍ତି ଓ ଯେଉଁମାନେ ପୂର୍ବରୁ କିଛି ଜଟିଳ ରୋଗରେ ପୀଡିତ ସେମାନଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି । ଏହି ବର୍ଗରେ ପ୍ରତିଦିନ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଗତ ଡିସେମ୍ବରରେ ଦିଲ୍ଲୀରେ ୧୦୦ ପ୍ରତିଶତ ଟିକାକରଣ ଘୋଷଣା କରାଯାଇଥିବା ବେଳେ ଏବେ ଏଭଳି ମୃତ୍ୟୁ ସାଧାରଣରେ ପ୍ରଶ୍ନ ଉଠାଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଦିବ୍ୟେନ୍ଦୁ ଦାସ କହିଛନ୍ତି ଦିଲ୍ଲୀରେ ଏବେ କରୋନାର ୫ମ ଲହର ଚାଲିଛି । ଏହି ଲହରରେ ହସ୍ପିଟାଲରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏଥିରେ ସବୁ ବୟସର ଲୋକେ ସାମିଲ ଅଛନ୍ତି । ଏହି ଲହର ଆରମ୍ଭ ହେବା ପୂର୍ବରୁ ସରକାର କହିଥିଲେ ରାଜଧାନୀରେ ୧୦୦ ପ୍ରତିଶତ ଟିକାକରଣ ହୋଇଯାଇଛି । ଏପଟେ ୮୫ ପ୍ରତିଶରୁ ଅଧିକ ଦ୍ୱିତୀୟ ଡୋଜ ବି ନେଇ ସାରିଛନ୍ତି । ହେଲେ ଏପଟେ ମୃତ୍ୟୁ ସଂଖ୍ୟା କମ୍ ହେଉନାହିଁ । କୋୱିନ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଏବେ ପର୍ଯ୍ୟନ୍ତ ୨.୯୬ କୋଟିରୁ ଅଧିକ ଟିକାକରଣ ହୋଇଛି । ୧.୭୦ କୋଟି ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆ ସରିଛି । ଏମାନଙ୍କ ମଧ୍ୟରୁ ୧.୨୩ କୋଟି ଲୋକ ଦ୍ୱିତୀୟ ଡୋଜ ବି ନେଇ ସାରିଛନ୍ତି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଏବେ ଏହି ମୃତ୍ୟୁ ସଂଖ୍ୟାକୁ ଦେଖି ଯେଉଁମାନେ ଟିକା ନ ନେଇଛନ୍ତି ସେମାନେ ତୁରନ୍ତ ଟିକା ନେବା ଉଚିତ ।

Share