Categories: ଜାତୀୟ

କଶ୍ମୀରରେ ‘୩୭୦’ ପାଇଁ ମେଣ୍ଟ

ଶ୍ରୀନଗର/ନୂଆଦିଲ୍ଲୀ,୧୬।୧୦:ପିପୁଲ୍ସ ଡେମୋକ୍ରଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ମୁକ୍ତି ପରେ ଜମ୍ମୁ-କଶ୍ମୀରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ପାଇଁ ପୁଣିଥରେ ଲଢ଼େଇ ଆରମ୍ଭ ହୋଇଛି। ଉପତ୍ୟକାର ହୃତ ମର୍ଯ୍ୟାଦା ଫେରାଇ ଆଣିବା ସକାଶେ ‘ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ’ ନାମରେ ଗୁରୁବାର ଏକ ମେଣ୍ଟ ଗଠନ କରାଯାଇଛି। ଏନେଇ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଆବାହକତ୍ୱରେ ଶ୍ରୀନଗରର ଗୁପ୍‌କାର୍‌ ରୋଡ୍‌ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜମ୍ମୁ-କଶ୍ମୀରର ପ୍ରତ୍ୟାହୃତ ସ୍ବତନ୍ତ୍ର ମାନ୍ୟତା ଫେରାଇଆଣିବା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ବୈଠକରେ ଫାରୁକ୍‌ଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଏବଂ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ସମେତ ୬ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ। ବୈଠକ ପରେ ଫାରୁକ୍‌ କହିଛନ୍ତି, ‘ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ୍‌’ ଜମ୍ମୁ-କଶ୍ମୀରର ସମସ୍ତ ପକ୍ଷଙ୍କୁ ନେଇ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ରାଜନୈତିକ ସମସ୍ୟାର ସମାଧାନ ପାଇଁ ଆଗ୍ରହୀ। ୨୦୧୯ ଅଗଷ୍ଟ ପୂର୍ବରୁ ଥିବା ଜମ୍ମୁ-କଶ୍ମୀରର ସାମ୍ବିଧାନିକ ମାନ୍ୟତା ଫେରାଇ ଆଣିବା ଲକ୍ଷ୍ୟରେ ଏହି ମେଣ୍ଟ ଗଠନ କରାଯାଇଛି। ଭାରତ ସରକାର ଆମକୁ ଆମର ପୂର୍ବ ଅଧିକାର ଫେରାଇ ଦିଅନ୍ତୁ। ସେହିପରି ମେହବୁବାଙ୍କୁ ବେଆଇନ ଭାବେ ୧୪ ମାସ ଧରି ଗୃହବନ୍ଦୀ ରଖାଯିବା ପରେ ଛଡ଼ାଯାଇଛି। ଅନ୍ୟ ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଫାରୁକ୍‌ ଦାବି କରିଛନ୍ତି।
ପ୍ରକାଶ ଯେ, ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଉଚ୍ଛେଦର ଅବ୍ୟବହିତ ପୂର୍ବରୁ ଗୃହବନ୍ଦୀ ଥିବା ବାପପୁଅ କିଛିମାସ ତଳେ ମୁକୁଳିଥିବାବେଳେ ମେହବୁବାଙ୍କୁ ମଙ୍ଗଳବାର ମୁକ୍ତ କରାଯାଇଥିଲା। ବୁଧବାର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବାଙ୍କ ବାସଭବନରେ ବୈଠକ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ।

Share