ପିସି କାରବାରକୁ ନେଇ ଜନପ୍ରତିନିଧି-ବିଡିଓ ମୁହଁ।ମୁହିଁ

ପୁରୁଷୋତ୍ତମପୁର,୯।୬(ଡିଏନଏ ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ସମ୍ମିଳନୀ କକ୍ଷରେ ପଞ୍ଚମ ସମିତି ବୈଠକ ଅଧ୍ୟକ୍ଷା ପିଙ୍କି ବେହେରାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବେଦ୍ୟ ଯୋଗ ଦେଇଥିଲେ। ବୈଠକ ଆରମ୍ଭରୁ ବ୍ଲକରେ ଚାଲିଥିବା ବହୁ ଦୁର୍ନୀତିର ଅଭିଯୋଗ ଆଣି ଜନ ପ୍ରତିନିଧି ମାନେ ହୋହୋଲ୍ଲା କରିଥିଲେ। ଏପରିକି ସମସ୍ତ କାର୍ଯ୍ୟରେ କର୍ମଚାରୀ, ଯନ୍ତ୍ରୀ ମାନେ ପିସି, ଲାଞ୍ଚ ମାଗୁଥିବା ଏବଂ ଏହି ପିସି, ଲାଞ୍ଚ ନ ଦେଲେ ବିଲ କି କୌଣସି କାର୍ଯ୍ୟ କରୁ ନାହାନ୍ତି। ଯାହା ଦ୍ୱାରା ବିଭିନ୍ନ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁ ନ ଥିବାର ଅଭିଯୋଗ ଆଣି ତୁରନ୍ତ ଏହି ପିସି କାରବାର ବନ୍ଦ କରିବା ଲାଗି ଦାବି କରି ପାଟିତୁଣ୍ଡ କରି ଥିଲେ। ବୈଠକରେ ଜନପ୍ରତିନିଧି ଓ ବିଡିଓଙ୍କ ମଧ୍ୟରେ ମୁହାଁମୁହିଁ ହୋଇ କଥାକଟାକଟି ହେବା ସହ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ସେ ତୁରନ୍ତ ବିଲ କାର୍ଯ୍ୟ ସୂଚାରୁ ଭାବେ କରିବା ସହ ଉନ୍ନୟନମୂଳକ କାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ଲାଗି କର୍ମଚାରୀଙ୍କୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। କିଛି ନୂଆ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସହିତ ବ୍ଳକରେ ଚାଲିଥିବା ଅନ୍ୟ କିଛି ପ୍ରକଳ୍ପର କାର୍ଯ୍ୟ କିଭଳି ତ୍ୱରାନ୍ବିତ ହେବା ସହିତ ସମୟାନୁସାରେ ଶେଷ ହେବ ତାହାକୁ ଗୁରୁତ୍ତ୍ୱ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଦୁଇ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ। ଏଥିରେ ପାନୀୟ ଜଳ ଯୋଗାଣ, ସମନ୍ବିତ ଶିଶୁ ବିକାଶ ଯୋଜନା, କୃଷି ଆଦି ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ଶୁନିଲ କୁମାର ଟୁଡୁ, ସିଡିପିଓ ବବିତା ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଥିଲେ।