ରୁଷିଆଠାରୁ ପ୍ରତି ସେ.ମି. ଭୂମି ଫେରାଇ ଆଣିବୁ

କିଭ୍‌,୭ା୯: ୟୁକ୍ରେନ୍‌ର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ୍‌ ଉମେରାଭ୍‌ ବୁଧବାର ରୁଷୀୟ ସୈନ୍ୟଙ୍କ ନିୟନ୍ତ୍ରଣରେ ଥିବା ନିଜ ଭୂଖଣ୍ଡକୁ ପୁନଃ ଦଖଲ କରିବେ ବୋଲି ଶପଥ ନେଇଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି, ଆମ ଦେଶର ପ୍ରତି ସେଣ୍ଟିମିଟର ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଣନା କରି ୟୁକ୍ରେନ୍‌ର ବିଜୟ ପାଇଁ ମୁଁ ସବୁ ସମ୍ଭବ ଓ ଅସମ୍ଭବ କାର୍ଯ୍ୟ କରିବି। ୟୁକ୍ରେନୀୟ ସହରଗୁଡ଼ିକୁ ସ୍ବାଭାବିକ ଓ ସମ୍ମାନଜନକ ଜୀବନ ଫେରାଇ ଅଣାଯିବ, ଯାହାକି ଦୁର୍ଭାଗ୍ୟବଶତଃ ସାମୟିକ ଭାବେ ରୁଷିଆ ଦଖଲରେ ରହିଛି। ନୂଆ ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ମନ୍ତବ୍ୟ। ଏହା ପୂର୍ବରୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁସ୍ତମ୍‌ଙ୍କ ନାମ ଘୋଷଣା କରିବା ପରେ ଦେଶର ପାର୍ଲାମେଣ୍ଟ ତାଙ୍କୁ ନୂଅ ପ୍ରତିରକ୍ଷାମନ୍ତ୍ରୀ ଭାବେ ଅନୁମୋଦନ କରିଥିଲା।

୩୬୦ ଆଇନପ୍ରଣେତାଙ୍କ ମଧ୍ୟରୁ ୩୩୮ ଜଣ ୪୧ ବର୍ଷୀୟ ରୁସ୍ତମ୍‌ଙ୍କ ସପକ୍ଷରେ ଭୋଟ ଦେଇଥିଲେ। ତୁର୍କୀ ବଂଶୋଦ୍ଭବ ତଥା କ୍ରିମିଆର ତତାର ମୁସଲମାନ ସମ୍ପ୍ରଦାୟର ରୁସ୍ତମଙ୍କ ଜନ୍ମ ଉଜ୍‌ବେକିସ୍ତାନର ସମରକନ୍ଦରେ ହୋଇଥିଲା। ୨୦୨୨ ସେପ୍ଟେମ୍ବରରେ ସେ ଏମ୍‌ପି ଥିବାବେଳେ ଷ୍ଟେଟ୍‌ ପ୍ରପର୍ଟି ଫଣ୍ଡ୍‌ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ରୁସ୍ତମ୍‌ଙ୍କ ମୂଲଚାଲ ଦକ୍ଷତା ଓ ଅନର୍ଗଳ ଇଂଲିଶ ତାଙ୍କୁ ପାଶ୍ଚାତ୍ୟରୁ ନିଜ ଦେଶ ପାଇଁ ସାମରିକ ସହାୟତା ଆଣିବାରେ ବେଶ୍‌ ସହାୟକ ହୋଇଥିଲା। ଗତ ମାର୍ଚ୍ଚରେ ମସ୍କୋ ସହ ସନ୍ଧି ଉଦ୍ୟମ କରିଥିବା ଟିମ୍‌ରେ ମଧ୍ୟ ସେ ସଦସ୍ୟ ଥିଲେ। ଆଲୋଚନା ବିଫଳ ହେବା ପରେ କ୍ରେମ୍‌ଲିନ୍‌ ରୁସ୍ତମ୍‌ଙ୍କୁ ଆମେରିକାର ଜଣେ ଗୁପ୍ତଚର ଆଖ୍ୟା ଦେଇଥିଲା।

ପ୍ରକାଶ ଯେ, ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବାର ୩ ମାସ ପୂର୍ବରୁ ରାଷ୍ଟ୍ରପତି ଜେଲେନ୍‌ସ୍କି ଓଲେକ୍ସି ରେଜ୍‌ନିକୋଭ୍‌ଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଥିଲେ। କିନ୍ତୁ ଦେଢ଼ବର୍ଷ ଭିତରେ ବିଦାୟୀ ପ୍ରତିରକ୍ଷାମନ୍ତ୍ରୀ ଓଲେକ୍ସି ରେଜ୍‌ନିକୋଭ୍‌ଙ୍କ ବିରୋଧରେ ସୈନ୍ୟଙ୍କ ପାଇଁ ୨,୩୩,୦୦୦ ଓ୍ବିଣ୍ଟର ଜାକେଟ କିଣା ଦୁର୍ନୀତି ଅଭିଯୋଗ ଆସିବାରୁ ସେ ବିବାଦୀୟ ହୋଇପଡ଼ିଥିଲେ। ତେଣୁ ତାଙ୍କ ସ୍ଥାନରେ ରୁସ୍ତମ୍‌ଙ୍କୁ ଅବସ୍ଥାପିତ କରାଯାଇଛି।

 

Share