୯୨ ପ୍ରତିଶତ ଭାରତୀୟ ନେଇ ନାହାନ୍ତି ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୪।୭ : କରୋନା ମହାମାରୀ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ୧୦ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ କରାଯାଉଛି। ଏଥି ସହିତ ଟିକାକରଣ ବିଷୟରେ ଆଶ୍ଚର୍ଯ୍ୟଜନକ ଆକଳନ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କରୋନା ଟିକା ପାଇଁ ତୃତୀୟ କିମ୍ବା ବୁଷ୍ଟର ଡୋଜ ପାଇଁ ଯୋଗ୍ୟ ଥିବା ୯୨ ଭାରତୀୟଙ୍କୁ ଏହା ଦିଆଯାଇ ନାହିଁ।

ଦେଶର ମାତ୍ର ୮ ପ୍ରତିଶତ ଜନସଂଖ୍ୟା ବୁଷ୍ଟର ଡୋଜ୍‌ ନେଇଛନ୍ତି। ଏଥି ସହିତ ବୁଧବାର ଦିନ ସରକାରଙ୍କ ପକ୍ଷରୁ ଜାତୀୟ ୭୫ ଦିନିଆ ମାଗଣା ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇଛି। ଟିକାକରଣ ପାଇଁ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଭାରତରେ ପ୍ରାୟ ୫୯୪ ନିୟୁତ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ ନ୍ନେବାରେ ବିଳମ୍ବ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ତଥ୍ୟରୁ ଏହି ସୂଚନା ଗ୍ରହଣ କରାଯାଇଛି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମାଗଣା ବୁଷ୍ଟର ଟିକାକରଣ ଅଭିଯାନ ଚଳାଇବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଯୋଗୁଁ ଏହି ସଂଖ୍ୟା ହ୍ରାସ ପାଇପାରେ। ମାଗଣା ଟିକାକରଣର ନିଷ୍ପତ୍ତି ବୁଷ୍ଟର ଡୋଜ୍‌ ଆରମ୍ଭ ହେବାର ୯୫ ଦିନ ପରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି।
ଜୁଲାଇ ୬ ରେ ସରକାର ଦ୍ୱିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ନଅରୁ ଛଅ ମାସକୁ ହ୍ରାସ କରିବାକୁ ଘୋଷଣା କରିଥିଲେ।
୬୦ ବର୍ଷରୁ ଅଧିକ ବୟସ୍କ ଫ୍ରଣ୍ଟଲାଇନ ଏବଂ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଦେଶର ସରକାରୀ କେନ୍ଦ୍ରଗୁଡ଼ିକରେ ମାଗଣାରେ ଦିଆଯାଉଛି। ଜୁଲାଇ ୧୨ ସୁଦ୍ଧା, ୩୫ ପ୍ରତିଶତ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୩୯ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ବୁଷ୍ଟର୍‌ ଡୋଜ୍‌ ନେଇ ନ ଥିଲା। କିନ୍ତୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ୭୩ ପ୍ରତିଶତ ବୁଷ୍ଟର ଡୋଜ ନେଇ ନାହାଁନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ମାଗଣା ଟିକାକରଣ ଅଭିଯାନ ଘୋଷଣା କରାଯାଇଛି।

ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ କହିଛନ୍ତି ଯେ ସମସ୍ତଙ୍କ ପାଇଁ ବୁଷ୍ଟରକୁ ମାଗଣା କରିବା ଏହି ସମସ୍ୟାର ପରିମାଣ ହ୍ରାସ କରିବାରେ ସହାୟକ ହେବ, କିନ୍ତୁ ଏହା ସହିତ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ଜରୁରୀ। ଯାହାଦ୍ୱାରା ନୂଆ ଭାରିଆଣ୍ଟ ସଂକ୍ରମଣରୁ ଦୂରେଇ ରହିହେବ।

Share