Categories: ଖେଳ

ଓଡ଼ିଶା ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କ ପାରଦର୍ଶିତା ପ୍ରଦର୍ଶନ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ପଶ୍ଚିମବଙ୍ଗର କାଲିମପଙ୍ଗ୍‌ ଜିଲା ଅନ୍ତର୍ଗତ ପାହାଡ଼ ଓ ଜଙ୍ଗଲ ଘେରା ଖରଖୋଲ ଗ୍ରାମରେ ଗତ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହିମାଳୟାନ ନେଚର ଆଣ୍ଡ ଆଡ୍‌ଭେଞ୍ଚର କ୍ୟାମ୍ପରେ ଓଡ଼ିଶାରୁ ଏକ ୧୧ ଜଣିଆ ଭିନ୍ନକ୍ଷମ ଦଳ ଭାଗ ନେଇ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଏହି କ୍ୟାମ୍ପ୍‌ରେ ଓଏଲ୍‌ଏସ୍‌ ସଂସ୍ଥାର ଏବଂ ସ୍ବତନ୍ତ୍ର ଅଲିମ୍ପିକ୍‌ ଓଡ଼ିଶାର ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସରିତା ରାଉତରାୟ, ସାଗରିକା, ଲକ୍ଷ୍ମୀପ୍ରିୟା ପାତ୍ର, ଶକ୍ତି ଶଙ୍କର, ନୀଳାଚଳ, ଦେବାଶିଷ, ଚୁମକି, ରାମଚନ୍ଦ୍ର ଗାଗରାଇ ପ୍ରମୁଖ ସ୍ବତନ୍ତ୍ର ଶିକ୍ଷକ ଦୀପକ ବେହେରାଙ୍କ ନେତୃତ୍ୱରେ ଭାଗ ନେଇଥିଲେ। ଯତ୍ନ ଓ ସୁରକ୍ଷା ପ୍ରଦାନକାରୀ ବେବିନା ସେନାପତି ଓ ଥେରାପିଷ୍ଟ ଦିବ୍ୟାଭାରତୀ ମଧ୍ୟ ଦଳରେ ସାମିଲ ଥିଲେ। ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କର ସାମର୍ଥ୍ୟ ବୃଦ୍ଧି ଓ ପାରଦର୍ଶିତା ପ୍ରଦର୍ଶନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ଏହି କ୍ୟାମ୍ପର ଉଦ୍ଦେଶ୍ୟ ଥିଲା।
ପରିବେଶକୁ ଚିହ୍ନିବା ଓ ତା’ର ସୁରକ୍ଷା କରିବା ଏହାର ଅନ୍ୟ ଏକ ଉଦ୍ଦେଶ୍ୟ। ଏହି କ୍ୟାମ୍ପରେ ଅଂଶଗ୍ରହଣକାରୀମାନେ ୱାଲ୍‌ କ୍ଲାଇମ୍ବିଂ, ରିଭର୍‌ କ୍ରସିଂ, କମାଣ୍ଡୋ ୱାକ୍‌ ଆଦି ବିପଦସଙ୍କୁଳ କାର୍ଯ୍ୟମାନ କରିଥିଲେ ଏବଂ ଜଙ୍ଗଲ ୱାକ୍‌ ବି କରିଥିଲେ। ଆୟୋଜକ ଅନୁଷ୍ଠାନର ମୁଖ୍ୟ ଶଙ୍କର ମଜୁମଦାର ଓଡ଼ିଶା ଦଳର ଭୂୟସୀ ପ୍ରଶଂସା କରିଥିଲେ।
ଓଡ଼ିଶା ଦଳର ଏହି କ୍ୟାମ୍ପରେ ଭାଗ ନେବାରେ କ୍ଲବ ଟାନଜେଣ୍ଟ-୮, ବିଆର୍‌ଏମ୍‌ ଆଶା ଓ ସ୍ପେଶାଲ୍‌ ଅଲିମ୍ପିକ୍ସ ଭାରତ ଓଡ଼ିଶାର ଅବଦାନ ଗୁରୁତ୍ୱପୂର୍ଣ୍ଣ।

Share