Categories: ଜାତୀୟ

ମହିଳାଙ୍କୁ ଏନ୍‌ଡିଏ-ନାଭାଲ ଏକାଡେମୀରେ ସ୍ଥାୟୀ କମିଶନ…

ନୂଆଦିଲ୍ଲୀ,୮।୯: ଏନ୍‌ଡିଏ ଏବଂ ନାଭାଲ ଏକାଡେମୀରେ ମହିଳାମାନଙ୍କୁ ଏବେ ସ୍ଥାୟୀ କମିଶନ ମିଳି ପାରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଏସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସରକାରଙ୍କୁ ୨ ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଏହା ପରେ ସମଗ୍ର ପ୍ରକ୍ରିୟା ସ୍ପଷ୍ଟ ହେବ। ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ନାଭାଲ ଏକାଡେମୀରେ ମହିଳା କ୍ୟାଡେଟଙ୍କ ପ୍ରବେଶ ପାଇଁ ସରକାର ନୀତି ଏବଂ ପଦ୍ଧତି ସ୍ଥିର କରୁଛନ୍ତି।

ମହିଳା କ୍ୟାଡେଟ୍‌ ମାନେ ଏହି ଉଭୟ ସଂସ୍ଥାରେ ପ୍ରଶିକ୍ଷଣ ପାଇବେ। ଏହାପରେ ସେମାନଙ୍କ ସ୍ଥାୟୀ କମିଶନ ପ୍ରଦାନ କରାଯିବ। କିନ୍ତୁ କେଉଁ ପ୍ରକ୍ରିୟା ଅଧୀନରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ ଖୁବ୍‌ ଶୀଘ୍ର ତାହ। ନିର୍ଣ୍ଣୟ କରାଯିବ।

ବିଚାରପତି ସଞ୍ଜୟ କିଶନ କୋଲ ଏବଂ ଏମ୍‌.ଏମ୍‌. ସୁନ୍ଦ୍ରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବୁଧବାର ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଶୁଣାଣି କରିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଏଏସଜି ଐଶ୍ଚର୍ଯ୍ୟା ଭାଟିଙ୍କୁ ଶୀର୍ଷ କୋର୍ଟ ଭାରତୀୟ ସେନାରେ ଲିଙ୍ଗଗତ ଅସମାନତା ଦୂର ହୋଇଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ମହିଳା ଅଧିକାରୀମାନେ ସେନାରେ ସ୍ଥାୟୀ କମିଶନ ପାଇବାରେ ବିଳମ୍ବ ସମ୍ପର୍କରେ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଥିଲେ। ସେନାରେ ସ୍ଥାୟୀ ଆୟୋଗ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୭୨ ଜଣ ମହିଳା ଅଧିକାରୀ ଏହି ନୋଟିସକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଇଥିଲେ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ ହେବ।

 

Share