କୁଳଭୂଷଣଙ୍କ ଓକିଲ ନିଯୁକ୍ତି ପାଇଁ ଭାରତକୁ ଅନୁମତି

ଇସ୍‌ଲାମାବାଦ, ୪ା୮: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସୋମବାର ଇସ୍‌ଲାମାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଅଦାଲତ ଶୁଣାଣି ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ତାଙ୍କ ପାଇଁ ଓକିଲ ନିଯୁକ୍ତି ନିମନ୍ତେ ଭାରତକୁ ସୁଯୋଗ ଦେଇଛନ୍ତି। ଓକିଲ ପାକିସ୍ତାନୀ ହେବା ଆବଶ୍ୟକ ବୋଲି କୁହାଯାଇଛି। ପାକିସ୍ତାନୀ ଲିଗାଲ ଟିମ୍‌କୁ ସହାୟତା ପାଇଁ ଭାରତୀୟ ଓକିଲଙ୍କୁ ଅନୁମତି ମିଳିବ ନାହିଁ ବୋଲି ସେଠାର ଆଟର୍ନି ଜେନେରାଲ ଖଲିଦ ଜାଭେଦ ଖାନ୍‌ ଗଣମାଧ୍ୟମକୁ କହିଛନ୍ତି। ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ କୁଳଭୂଷଣଙ୍କୁ ପାକିସ୍ତାନର ସାମରିକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଏହାର ପୁନର୍ବିଚାର ପାଇଁ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଗତବର୍ଷ ପାକିସ୍ତାନକୁ ପରାମର୍ଶ ଦେଇଥିଲେ। କୁଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତି ନିମନ୍ତେ ଗତମାସ ୨୨ ତାରିଖରେ ପାକ୍‌ ସରକାର ଇସ୍‌ଲାମାବାଦ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।

Share