ପୁରୁଷୋତ୍ତମପୁର,୧୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଆଦର୍ଶ ବିଦ୍ୟାଳୟକୁ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ସ୍ବୀକୃତି ମିଳିଛି। ଯାହାଦ୍ବାରା ଚଳିତ ବର୍ଷ (୨୦୨୧-୨୨) ଶିକ୍ଷା ବର୍ଷରେ ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ। ଏଠାରେ ଯୁକ୍ତ ଦୁଇ ଶ୍ରେଣୀ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏଠାରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ଦାବି କରିଥିଲେ। ତେବେ ଏହାକୁ ଗୁରୁତ୍ୱ ସହକାରେ ନେଇ ଏବଂ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସୀତାରାମ ପାଣିଗ୍ରାହୀ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଗତ ୮ରେ ଚିଠି ନଂ ୧୯୫୪ ପ୍ରକାରେ ରାଜ୍ୟର ୪୦ଟି ବିଦ୍ୟାଳୟକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏଥିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ସହ ବେଗୁନିଆ ପଡା ବ୍ଲକ ରାଜପୁର ଓ ସାନଖେମୁଣ୍ଡି ବ୍ଲକ ଛଣମେରିରେ ଥିବା ଆଦର୍ଶ ବିଦ୍ୟାଳୟ ସାମିଲ ହୋଇଛି। ତେବେ ଖୁବ୍ଶୀଘ୍ର ନାମଲେଖା ଲାଗି ବିଜ୍ଞାପନ ପ୍ରକାଶ ପାଇବ। ଏହାପରେ ଛାତ୍ରୀଛାତ୍ର ନିଜର ନାମ ଲେଖାଇପାରିବେ ବୋଲି ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର କହିଛନ୍ତି।