Categories: ଜାତୀୟ

ଆଣବିକ ଖଣିଜ ଉତ୍ତୋଳନ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୨୯ା୭: ଲିଥିୟମ ସମେତ ୬ ଆଣବିକ ଖଣିଜ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଅନୁମତି ମିଳିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୩ ଧ୍ୱନି ମତରେ ପାରିତ ହୋଇଛି। ପ୍ରଚଳିତ ଆଇନ ଅନୁଯାୟୀ ସମସ୍ତ ୧୨ଟି ଆଣବିକ ଖଣିଜ ଉତ୍ତୋଳନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ସଂରକ୍ଷିତ ରହିଥିଲା। ସେଥିରୁ ୬ଟି ଖଣିଜର ଉତ୍ତୋଳନ ଘରୋଇ ସଂସ୍ଥା ଦ୍ୱାରା କରାଇବା ପାଇଁ ସରକାର ବିଲ୍‌ ଆଣିଥିଲେ। ସେହିସବୁ ଖଣିଜ ହେଲା ଲିଥିୟମ(ଯାହା ବିଦ୍ୟୁତ୍‌ଚାଳିତ ଯାନର ବ୍ୟାଟେରି ଏବଂ ବିଦ୍ୟୁତ୍‌ ଷ୍ଟୋରେଜ୍‌ ଉପକରଣ ତିଆରିରେ ବ୍ୟବହୃତ ହୋଇଥାଏ), ବେରିଲିୟମ, ନିଓବିୟମ, ଟିଟାନିୟମ, ଟାଣ୍ଟାଲମ ଏବଂ ଜିର୍କୋନିୟମ। ମହାକାଶ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ, ଶକ୍ତି ସେକ୍ଟର, ଇଲେକ୍ଟ୍ରି ବ୍ୟାଟେରି ଆଦିରେ ଏହିସବୁ ଖଣିଜ ବ୍ୟବହୃତ ହୋଇଥାଏ। ଘରୋଇ ସଂସ୍ଥାକୁ ଅନୁମତି ମିଳିବା ଦ୍ୱାରା ସେଗୁଡ଼ିକ ପ୍ରଚୁର ମାତ୍ରାରେ ଉତ୍ତୋଳନ ହୋଇପାରିବ।
ସେହିପରି ଦେଶରେ ଦନ୍ତରୋଗ ଶିକ୍ଷା ଓ ପେସାକୁ ନିୟନ୍ତ୍ରଣ କରିବା ପାଇଁ ନ୍ୟାଶନାଲ ଡେଣ୍ଟାଲ କମିଶନ (ଏନ୍‌ଡିସି) ସ୍ଥାପନ ନିମନ୍ତେ ଆସିଥିବା ବିଲ୍‌କୁ ଲୋକ ସଭା ଅନୁମୋଦନ କରିଛି। ଡେଣ୍ଟିଷ୍ଟସ୍‌ ଆକ୍ଟ, ୧୯୪୮ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ନ୍ୟାଶନାଲ ଡେଣ୍ଟାଲ କମିଶନ ବିଲ୍‌ ଦନ୍ତରୋଗ ଶିକ୍ଷାକୁ ସୁଲଭ କରାଇବା ସହ ମୁଖ ସ୍ବାସ୍ଥ୍ୟସେବାର ମାନ ବଢ଼ାଇବ। ଏହା ବ୍ୟତୀତ ଭାରତୀୟ ନର୍ସିଂ କାଉନସିଲ୍‌ ଆଇନ, ୧୯୪୭ ସ୍ଥାନରେ ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍‌ଓ୍ବାଇଫେରି କମିଶନ (ଏନ୍‌ଏନ୍‌ଏମ୍‌ସି) ସ୍ଥାପନ ଲକ୍ଷ୍ୟରେ ଅଣାଯାଇଥିବା ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍‌ଓ୍ବାଇଫେରି କମିଶନ ବିଲ୍‌, ୨୦୨୩ ଲୋକ ସଭାରେ ଗୃହୀତ ହୋଇଛି।

Share