ଆୟୁର୍ବେଦିକ, ହୋମିଓପାଥିକ୍‌ କଲେଜ ଖୋଲିବାକୁ ଅନୁମତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥିକ୍‌ କଲେଜ ଖୋଲିବା ପାଇଁ ସୋମବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାମାଜିକ ଦୂରତ୍ୱ ଓ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। କରୋନା ମହାମାରୀ ଯୋଗୁ ୯ ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ଆୟୁର୍ବେଦିକ ଓ ହୋମିଓପାଥିକ୍‌ କଲେଜଗୁଡ଼ିକ ଖୋଲିବାକୁ କିଛିଦିନ ହେବ ଛାତ୍ରୀଛାତ୍ରମାନେ କଲେଜ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏସବୁ କଲେଜକୁ ଖୋଲିବା ପାଇଁ ଅନୁମତି ଦେଉ ନ ଥିଲେ। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ବହୁ ପରିବର୍ତ୍ତନ ହୋଇଛି। ଦୈନିକ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ଢେର୍‌ କମିଯାଇଛି। ସ୍ଥିତି ସ୍ବାଭାବିକ ହେଉଥିବାରୁ ରାଜ୍ୟ ସରକାର ବନ୍ଦ ଶିକ୍ଷାନୁଷ୍ଠାନକୁ ଧୀରେ ଧୀରେ ଖୋଲିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥିକ୍‌ କଲେଜ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ ଖୁବ୍‌ଶୀଘ୍ର ଅନ୍ୟ କଲେଜ ଖୋଲିପାରେ। ଏ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

Share