Advertisement

ରାତି ୮ରୁ ୧୦ ଫୁଟିବ ବାଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ସହରବାସୀ ବଡ଼ ଧୁମ୍‌ଧାମ୍‌ର ସହ ପାଳନ କରିବାକୁ ଚାହିଁ ବସିଛନ୍ତି। ଏଥର ବାଣ ଫୁଟାଇବାକୁ ଅନୁମତି ଥିବାରୁ ଆତସବାଜିରେ ପ୍ରକମ୍ପିତ ହେବ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର। ତେବେ ଦୀପାବଳୀକୁ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ପ୍ରସ୍ତୁତ ରହିଥିବାବେଳେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଗୁରୁବାର ୧୯ଟି ଗାଇଡ୍‌ଲାଇନ୍‌ ଜାରି କରିଛି। ବାଣ ବିକ୍ରି କରୁଥିବା ଦୋକାନୀ ଓ ଲୋକମାନେ ନିୟମ ମାନିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଦୀପାବଳୀର ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି। ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ ଏବଂ କୋର୍ଟ ଆଦି ନିଷିଦ୍ଧାଞ୍ଚଳରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମ୍‌ରେ ତିନି ମିଟର ଦୂରତା ପାଳନ କରିବେ। ଦୋକାନଗୁଡ଼ିକ ପରସ୍ପରର ସମ୍ମୁଖୀନ ନ ହେବା ସହ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ବର୍ଗ ମଧ୍ୟରେ ସୀମିତ ରହିବ। ଦୋକାନଠାରୁ ୫୦ ମିଟର ମଧ୍ୟରେ ବାଣ ଫୁଟାଯାଇ ପାରିବ ନାହିଁ। ତେଲରେ ଜଳୁଥିବା ଦୀପ, ଗ୍ୟାସ୍‌ ଲ୍ୟାମ୍ପ, ମହମବତୀ କିମ୍ବା ଖୋଲା ଆଲୋକ ବ୍ୟବହାର କରାଯିବ ନାହିଁ। ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନକୁ ଅନୁମତି ଦିଆଯିବ ନାହିଁ। ଦୋକାନଗୁଡ଼ିକରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଆଦି ବ୍ୟବସ୍ଥା ରଖାଯିବ। ଦୋକାନୀମାନେ କମ୍‌ ପ୍ରଦୂଷିତ ହେଉଥିବା ସବୁଜ ବାଣଗୁଡିକ ବିକ୍ରି କରିପାରିବେ। ଲୋକମାନେ ଲାଇସେନ୍ସପ୍ରାପ୍ତ ଦୋକାନରୁ ବାଣ କିଣିବେ। ବାଣଗୁଡ଼ିକ ୧୨୫ ଡେସିବିଲ୍‌ ଶବ୍ଦ ମଧ୍ୟରେ ରହିବ। ଦୋକାନୀମାନେ ବିଦେଶୀ ବାଣ ବିକ୍ରି କରିପାରିବେ ନାହିଁ। ଅନ୍‌ଲାଇନ୍‌ ବାଣ ବିକ୍ରିକୁ ବାରଣ କରାଯାଇଛି। ଏସବୁ ନିୟମକୁ ଉଲ୍ଲଂଘନ କଲେ ଆଇନ୍‌ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share