ପଞ୍ଚାୟତ ନିର୍ବାଚନ: ଡାକବାଜି ଯନ୍ତ୍ରକୁ ମିଳିବ ଅନୁମତିପତ୍ର

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ଗାଡ଼ି ଓ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ଉପଜିଲାପାଳଙ୍କ ସମେତ ସ୍ଥାନୀୟ ତହସିଲଦାରମାନେ ଗାଡ଼ି ଓ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିପାରିବେ। ଯେଉଁ ବ୍ଲକ କମିଶନରେଟ୍‌ ପୋଲିସ ଅଧୀନରେ ରହିଛି, ସେଠାରେ ସମ୍ପୃକ୍ତ ପୋଲିସ କମିଶନର ଆବଶ୍ୟକ ଅନୁମତିପତ୍ର ଦେଇପାରିବେ। ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ସ୍ଥାନୀୟ ବିଡିଓ ଏବଂ ଜିଲା ପରିଷଦ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଗାଡ଼ି ବ୍ୟବହାର ଓ ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ ଉପଜିଲାପାଳମାନେ ଅନୁମତିପତ୍ର ପ୍ରଦାନ କରିପାରିବେ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ଡାକବାଜି ଯନ୍ତ୍ର ଓ ଯାନ ବ୍ୟବହାର ପାଇଁ ଅନୁମତିପତ୍ର ପାଇବାକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ବହୁ ଅଭିଯୋଗ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର ଏହି ନିର୍ଦ୍ଦେଶ ଦେଇଛନ୍ତି।

Share