Categories: ଜାତୀୟ

ଆସାମରେ ପରସିମନକୁ ବିରୋଧ: ୩୦୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ…

ଗୁଆହାଟୀ,୨୭।୬ : ଆସାମରେ ପରସିମନକୁ ବିରୋଧ କରି ରାଜନୈତିକ ଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ମଙ୍ଗଳବାର ବାରକ ଘାଟିର ତିନୋଟି ଜିଲାରେ ୩୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ବାରକ ଡେମୋକ୍ରାଟିକ ଫ୍ରଣ୍ଟ (ବିଡିଏଫ) ପୂର୍ବରୁ ଏହି ବନ୍ଦ ଡାକରା ଦେଇଥିଲା। ପରେ କଂଗ୍ରେସ, ଟିଏମସି ଏବଂ ଏଆଇୟୁଡିଏଫ ମଧ୍ୟ ଏହାକୁ ସମର୍ଥନ କରିଥିଲେ।
ଆସାମର ବାରକ ଉପତ୍ୟକାରେ ସକାଳ ୫ ଟାରୁ ବନ୍ଦ ଆରମ୍ଭ ହୋଇଥିଲା। ଏହି ସମୟରେ, ଘାଟିର କାଚର, କରିମଗଞ୍ଜ ଏବଂ ହାଇଲାକାଣ୍ଡି ଜିଲାରେ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏହି ସମୟ ମଧ୍ୟରେ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା। କିନ୍ତୁ ଲୋକଙ୍କ ଉପସ୍ଥିତି ବହୁତ କମ ରେକର୍ଡ କରାଯାଇଥିବା କୁହାଯାଉଚଇ। କେହି ଘରୁ ବାହାରକୁ ଯାଉଥିଲେ ବିକ୍ଷୋଭକାରୀମାନେ ସେମାନଙ୍କୁ ଘରକୁ ଫେରିବାକୁ ଅନୁରୋଧ କରିଥିଲେ।
କରିମଗଞ୍ଜ (ଉତ୍ତର)ର କଂଗ୍ରେସ ବିଧାୟକ କମଳାଖ୍ୟା ଦେ ପୁରକାୟସ୍ତ ଏବଂ ଦଳର କାଚର ଜିଲା ସଭାପତି ଅଭିଜିତ ପାଲଙ୍କ ସମେତ ୩୦୦ ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଥିଲା।

କାଚର ପୋଲିସ ଅଧୀକ୍ଷକ ନମଲ ମହାତ୍ମା କହିଛନ୍ତି ଯେ ସମସ୍ତ ଦଳର ବିକ୍ଷୋଭକାରୀଙ୍କୁ ଲୋକଙ୍କୁ କାମକୁ ଯିବାକୁ ବାରଣ କରୁଥିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା। ସେ କହିଛନ୍ତି ପ୍ରତିଷେଧକ ଗିରଫ। ଆମେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଡେଲିମିଟେଶନ ପ୍ରସ୍ତାବ ଅନୁଯାୟୀ, ଏହି ତିନୋଟି ଜିଲାର ବିଧାନସଭା ଆସନ ସଂଖ୍ୟା ବର୍ତ୍ତମାନର ୧୫ ରୁ ୧୩ କୁ ହ୍ରାସ ପାଇବ। କେତେକ ନିର୍ବାଚନମଣ୍ଡଳୀର ନାମ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି।

ଶାସକ ଭାଜପା ସମେତ ଅନେକ ରାଜନୈତିକ ନେତା ଏହି ପ୍ରସ୍ତାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଧୋଲାଇ ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରୁଥିବା ପରିବହନ ମନ୍ତ୍ରୀ ପରିମଲ ଶୁକ୍ଲାବୈଦ୍ୟ କହିଛନ୍ତି ଧୋଲାଇରୁ ନରସିଂହପୁର ପର୍ଯ୍ୟନ୍ତ ଏହି ଅଞ୍ଚଳର ନାମ ପରିବର୍ତ୍ତନ ପ୍ରସ୍ତାବରେ ଲୋକମାନେ ଅସନ୍ତୁଷ୍ଟ। ଏଥି ସହିତ କଂଗ୍ରେସ ବିଧାୟକ କମଳାଖ୍ୟା ଦେ ପୁରକାୟସ୍ତ କହିଛନ୍ତି ଏହା ବାରକ ଘାଟିର ଲୋକ ତଥା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଷଡଯନ୍ତ୍ର।

ଜୁନ ୨୦ ରେ ପ୍ରକାଶିତ ଡ୍ରାଫ୍ଟ ଡେଲିମିଟେଶନରେ ଆସାମରେ ବିଧାନସଭା ଆସନ ସଂଖ୍ୟା ୧୨୬ ଏବଂ ଲୋକସଭା ନିର୍ବାଚନମଣ୍ଡଳୀ ସଂଖ୍ୟା ୧୪ ରେ ସୀମିତ ରଖିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛି। ଆୟୋଗ ଉଭୟ ବିଧାନସଭା ଏବଂ ଲୋକସଭାର ଅଧିକାଂଶ ନିର୍ବାଚନମଣ୍ଡଳୀର ଭୌଗୋଳିକ ସୀମା ପରିବର୍ତ୍ତନ କରିବାକୁ ଯୋଜନା କରୁଥିବାବେଳେ କେତେକ ଆସନ ରଦ୍ଦ ହୋଇ କିଛି ନୂତନ ଆସନ ସୃଷ୍ଟି ହେବ।

Share